କଳା, ସଂସ୍କୃତି ଓ ଭାଷ୍କର୍ଯ୍ୟ ଶିଳ୍ପୀକୁ ଅମର କରେ-ଶିଳ୍ପୀବିକାଶ ମହୋତ୍ସବ ଓ କୁଞ୍ଜମେଳା ଉଦ୍ଘାଟିତ
ଦେଶର ବିଭିନ୍ନ ପ୍ରାନ୍ତରରୁ ଶିଳ୍ପୀଙ୍କ ସମ୍ମେଳନ
ଜଳେଶ୍ୱର : କଳା, ସଂସ୍କୃତି, ଭାଷ୍କର୍ଯ୍ୟ ଜଣେ ଶିଳ୍ପୀକୁ ଅମର କରିବା ସହିତ ତାର ଜନ୍ମମାଟିକୁ ପବିତ୍ର କରି ସମଗ୍ର ବିଶ୍ୱରେ ପରିଚିତ କରିଥାଏ ବୋଲି ବୁଧବାର ସଂଧ୍ୟାରେ ଶିଳ୍ପୀବିକାଶ ମହୋତ୍ସବ ଓ କୁଞ୍ଜମେଳା ଉଦ୍ଘାଟନୀ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱର ବ୍ଲକ ଅଧିନ ଶାଳିକୋଠା ଗ୍ରାମର ଶିଳ୍ପୀସାହିଠାରେ ୮ଦିନ ବ୍ୟାପି ଅନୁଷ୍ଠିତ ଉକ୍ତ ମେଳାକୁ ପଣ୍ଡିତ ରବିନାରାୟଣ ରଥଶର୍ମ ଉଦ୍ଘାଟନ କରି ସମଗ୍ର ଓଡିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ନିହାଣ ମୂନରେ ରୂପରେଖ ଦେଇଥିବା ମହାରଣା ବଂଶୋଦ୍ଭବ ମାନଙ୍କ ଜନ୍ମସ୍ଥାନ ଆଜି ପବିତ୍ର ଶିଳ୍ପୀଧାମର ମାନ୍ୟତା ପାଇଥିବା କହିଥିଲେ । ମୁଖ୍ୟଅତିଥିଭାବେ ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ ଓ ମୁଖ୍ୟବକ୍ତା ଭାବେ ବିଶ୍ୱାସ ସଂଗଠନର ସାଧାରଣ ସଂପାଦକ ସଂଗ୍ରାମ ପରିଡା ଯୋଗ ଦେଇ ଏଠାକାର ଶିଳ୍ପୀମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଓ ପ୍ରତ୍ସାହନ ଯୋଗାଇ ଦେଲେ ସେମାନେ ବିଦେଶରେ ସୁନାମ ଅର୍ଜନ କରିପାରିବେ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଗ୍ରାମ୍ୟମୁଖ୍ୟ ଗଣେଶ ପରିଡା, ସରପଂଚ ତପନୀଭୂୟାଁ, ବ୍ଲକ ସଦସ୍ୟା ମଧୁମିତା ମହାନ୍ତି, ଆଇନ୍ଜିବୀ ସୁଶାନ୍ତ ଦାସ, ସମାଜସେବୀ ନବେନ୍ଦୁ ପ୍ରଧାନ, ମନୋରଂଜନ ଦାସ, ସାମ୍ବାଦିକ ସୁଶାନ୍ତ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସଂଗଠନର ସଭାପତି କେଶବ ଜେନା, ସଂପାଦକ ବସନ୍ତ ଦାସ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ପ୍ରଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନୁପ ପଣ୍ଡା ମଂଚ ସଂଚାଳନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ ଓ ଗୀତରେ ମଂଚ ଦୁଲୁକିଥିଲା । ଭାରତର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୨୦ରୁ ଉର୍ଦ୍ଧ୍ୱ ଶିଳ୍ପୀ ମାନଙ୍କ ଦ୍ୱାରା ୧୫ଟି କୁଞ୍ଚ(ମେଢ) ମେଳାରେ ପ୍ରଦର୍ଶିତ ହୋଇଥିଲା । ଏଥିରେ ଓଡିଶା, ପଶ୍ଚିମବଂଗର ବହୁ ଦର୍ଶନ ଯୋଗ ଦେଇଥିଲେ ।
