ରୂପସା ନୀଳମଣି ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଜାତୀୟ ବିଜ୍ଞାନ ଦିବସ ପାଳିତ
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ନୀଳମଣି ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ବାର୍ଷିକ ଉତ୍ସବ ଓ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଧ୍ୟକ୍ଷ ଡ. ତପନ କୁମାର ବେହେରା ଅଧ୍ୟକ୍ଷତା କରି ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଫକୀରମୋହନ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ଉତ୍ସବକୁ ଉଦ୍ଘାଟନ କରି ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ବିଜ୍ଞାନ ଉତ୍ସର୍ଗୀକୃତ ବୋଲି ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଫକୀରମୋହନ ବିଶ୍ୱବିଦ୍ୟାଳୟର ଭୁତତ୍ତ୍ୱ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ଅରୁଣ କୁମାର ନାୟକ ଯୋଗଦେଇ ବିଜ୍ଞାନ ଜୀବନଶୈଳୀକୁ ସହଜ କରିଛି ବୋଲି କହିଥିଲେ ।
ବିଜ୍ଞାନ ବିଭାଗର ସଭାପତି ପ୍ରାଧ୍ୟାପିକା କଳ୍ପନା ମଞ୍ଜରୀ ପାତ୍ର ସ୍ୱାଗତ ଭାଷଣ ଓ ଉପ-ସଭାପତି ବାସନ୍ତୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ଗୌରାଙ୍ଗ ପଣ୍ଡା ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ପ୍ରଦାନ କରିଥିଲେ । ଆୟୋଜିତ ବିଜ୍ଞାନ ମେଳା ଓ ୨୦୨୧-୨୨ ବର୍ଷର ସର୍ବୋଚ୍ଚ ନମ୍ବର ରଖିଥିବା ବିଭାଗୀୟ କୃତୀ ଛାତ୍ରୀଛାତ୍ରଙ୍କୁ ମାନପତ୍ର, ପୁରସ୍କାର ବିତରଣ କରାଯାଇଥିଲା । ଅଧ୍ୟାପକ ସତ୍ୟେନ୍ଦ୍ର କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗ ପକ୍ଷରୁ ଡ. ଅର୍ଦ୍ଧେନ୍ଦୁ କୁମାର ଦାଶ, ଡ. ଶାନ୍ତନୁ କୁମାର ଜେନା, ଅଧ୍ୟାପକ ଶମ୍ଭୁନାଥ ଗିରି, ଜୟକୃଷ୍ଣ ସାହୁ, ଶ୍ରବଣ ନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।
