ଫକୀର ମୋହନ ବିଶ୍ଵବିଦ୍ୟାଳୟରେ କଥାପୁରୁଷ ମନୋଜ ଦାସଙ୍କର ୯୦ତମ ଜୟନ୍ତୀ ପାଳନ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ମନୋଜ ଦାସ ସ୍ମୃତି ସଂସଦ ଭୁବନେଶ୍ୱର ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଥାପୁରୁଷ ମନୋଜ ଦାସଙ୍କର ୯୦ତମ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରଥମ ମନୋଜ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ କବି ସରୋଜ ବଳ ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଭଲ ଲେଖକଟିଏ ହେବା ସହଜ ହୋଇପାରେ କିନ୍ତୁ ଭଲ ମଣିଷଟିଏ ହେବା ସର୍ବଦା ସରଳତାର ବିଷୟ ନୁହେଁ, ମନୋଜ ଦାସ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ ବୋଲି ପ୍ରକାଶ କରିଥିଲେ ।
ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ମନୋଜ ଦାସ ଜଣେ ସଂସ୍କୃତି ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ ବୋଲି ପ୍ରକାଶ କରିଥିଲେ । ମନୋଜ ସ୍ମୃତି ସଂସଦର ସମ୍ପାଦକ ଶ୍ରୀଯୁକ୍ତ ଗୌତମ ବୁଦ୍ଧ ଦାସ ମନୋଜ ସ୍ମୃତି ସଂସଦ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତଦେଇ ମନୋଜ ଦାସଙ୍କର ସୃଜନକର୍ମର ସାହିତ୍ୟିକ ମୂଲ୍ୟବୋଧ ଓ ଜୀବନ ଦର୍ଶନକୁ ପାଠକାଭିମୁଖୀ କରାଇବାର ପ୍ରାସଙ୍ଗିକତା ଉପସ୍ଥାପନ କରିଥିଲେ । ମନୋଜ ଦାସ ସ୍ମୃତି ସଂସଦର ଉପଦେଷ୍ଟା ଡ. ପ୍ରବୀଣା ମହାନ୍ତି ମନୋଜ ଦାସଙ୍କର ଅଭିବ୍ୟକ୍ତି ଓ ଉପସ୍ଥାପନା ଯେତିକି ମାର୍ମିକ ସେତିକି ଦର୍ଶନ କୈନ୍ଦ୍ରିକ ଅଟେ, ସେ ବିଶ୍ୱପ୍ରସିଦ୍ଧ ହୋଇ ମଧ୍ୟ ଅତି ସରଳ ଓ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ମତ ଦେଇଥିଲେ । ଓଡ଼ିଶା ରାଜ୍ୟ ପର୍ଯ୍ୟଟନର ଅଧ୍ୟକ୍ଷ ଡ. ଲେଲିନ୍ ମହାନ୍ତି ଆଧୁନିକ ସାହିତ୍ୟ କ୍ଷେତ୍ରରେ ଉଭୟ ଓଡ଼ିଆ ଓ ଇଂରାଜୀ ଏହିପରି ଦ୍ୱିଭାଷୀ ଲେଖକ ଭାବରେ ମନୋଜ ଦାସ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ, ସର୍ବପରି ଆଧୁନିକ ଭାରତବର୍ଷର ପୃଷ୍ଠଭୂମିରେ ରଚିତ ତାହାଙ୍କର କଥା ସାହିତ୍ୟ ପାଠକର ଭାବମାନସ ତିଆରି ନିମିତ୍ତ ବେଶ୍ ସମର୍ଥ ଅଟେ ବୋଲି ମତ ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ମନୋଜ ଦାସ ଗ୍ୟାଲେରୀ ପ୍ରତିଷ୍ଠା କରିବାର ମହତ୍ ଉଦ୍ଧେଶ୍ୟ ସମ୍ପର୍କରେ ମତ ଦେଇ ମନୋଜ ଦାସ ଓଡ଼ିଆ ଜାତିର ଅସ୍ମିତା ସୂଚକ ବ୍ୟକ୍ତିତ୍ୱ ଥିଲେ ଏବଂ ନୂତନ ପ୍ରତିଭା ସୃଷ୍ଟି କ୍ଷେତ୍ରରେ ସେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ । ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭେଲପମେଣ୍ଟ ଷ୍ଟଡ଼ିଜ୍, ଚେନ୍ନାଇର ପ୍ରାଧ୍ୟାପକ ଡ. ଅନନ୍ତ କୁମାର ଗିରି ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ “ମନୋଜ ବିଶ୍ୱସୃଜନ : ସାହିତ୍ୟ, ଦର୍ଶନ ଓ ମାନବୀୟ ଦିବ୍ୟ ଉତ୍ତରଣ” ଶୀର୍ଷକ ବିଷୟ ରୂପରେଖ ଭିତ୍ତିରେ ବାହାରର ସମସ୍ୟା ପ୍ରକୃତରେ ବ୍ୟକ୍ତିର ସମସ୍ୟା ନୁହେଁ, ସମସ୍ୟା ହେଉଛି ବ୍ୟକ୍ତି ନିଜର ଅନ୍ତର୍ମୁଖୀ ବାସ୍ତବତାକୁ ପ୍ରୟୋଗ କରିବାରେ ସାମର୍ଥ୍ୟ ହେବା, ମନୋଜ ଦାସଙ୍କ ସାହିତ୍ୟ ଓ ଜୀବନ ଦର୍ଶନ ବ୍ୟକ୍ତିକୁ ଆତ୍ମସାକ୍ଷାତ୍ କରାଏ ବୋଲି ମତ ଦେଇଥିଲେ । ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡ. ଦେବାଶିଷ ପାତ୍ର ଅତିଥି ପରିଚୟ ପ୍ରଦାନ ସହିତ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି ପରିପ୍ରେକ୍ଷୀରେ ଭାଷା-ସାହିତ୍ୟ ବିଭାଗର ବରିଷ୍ଠ ପ୍ରଫେସର ଡ. ମଣୀନ୍ଦ୍ର କୁମାର ମେହେର ମନୋଜ ଦାସଙ୍କ ପତ୍ରାବଳୀ ପୁସ୍ତିକାର ପ୍ରତିଲିପି ବିଶ୍ୱବିଦ୍ୟାଳୟର ପାଠାଗାରକୁ ପ୍ରଦାନ କରିଥିଲେ । ଏହି ଅବସରରେ ଏକ ପ୍ରଶ୍ନୋତ୍ତର ପର୍ଯ୍ୟାୟ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ଓ ଅନୁରାଗୀ ବର୍ଗ ଅଂଶଗ୍ରହଣ କରିଥିଲେ । ଏହି ଉପଲକ୍ଷେ କବି ଶ୍ରୀ ବଳଙ୍କ ସହାୟତାରେ “ମନସ୍ୱୀ ମନୋଜ” ବିଷୟକ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା । ଏଥିରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ, ସାହିତ୍ୟିକ ଓ ପାଠକୀୟ ଅଭିମତ ଆଧାରିତ ସଂକ୍ଷିପ୍ତ ଦୃଶ୍ୟ-ଶ୍ରାବ୍ୟ ଚିତ୍ରରୂପ ପ୍ରଦର୍ଶିତ ହୋଇଥିଲା । ଶେଷରେ ମନୋଜ ଦାସ ସ୍ମୃତି ସଂସଦର କୋଷାଧ୍ୟକ୍ଷ ସରୋଜ ଦାସ ଏହି ଆଲୋଚନାଚକ୍ରର ନିଷ୍କର୍ଷ ଓ ସିଦ୍ଧାନ୍ତ ଉପସ୍ଥାପନ କରିବା ସହିତ ଅନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ।
୧- ବାଲେଶ୍ୱର- ସୋମବାର- କ
