ଆଫଗାନିସ୍ତାନରେ ତାଲିବାନର ସରକାର ଘୋଷଣା ସପ୍ତାହେ ସ୍ଥଗିତ !
କାବୁଲ : ଆଫଗାନିସ୍ତାନରେ ତାଲିବାନର ନୂଆ ସରକାର ଗଠନ ନେଇ ଚର୍ଚ୍ଚା ଲାଗି ରହିଛି । ଏନେଇ ତାଲିବାନି ପକ୍ଷରୁ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ବେଳେ ଶନିବାର ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ନାମ ଘୋଷଣା ହୋଇଥାନ୍ତା। ତେବେ ନୂଆ ସରକାର କେବଳ ତାଲିବାନର କିଛି ଶୀର୍ଷ ନେତାଙ୍କୁ ନେଇ ଗଠନ ହୋଇଥିବା ଏବଂ ଏଥିରେ ବିଭିନ୍ନ ବର୍ଗର ପ୍ରତିନିଧି ନଥିବାରୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଘୋଷଣା କରିଥିଲେ। ଅନ୍ତର୍ଜାତୀୟ ଚାପ ବଢ଼ିବାରୁ ଆଜି ତାଲିବାନ ସରକାର ଘୋଷଣା ପ୍ରକ୍ରିୟାକୁ ସପ୍ତାହକ ପାଇଁ ସ୍ଥଗିତ ରଖିଛି। ଅନ୍ୟ ପଟେ ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ବିଭିନ୍ନ ଅଂଚଳରେ ସକ୍ରିୟ ହୋଇଉଠିଥିବା ବେଳେ ତରବରିଆ ଭାବେ ସରକାର ଘୋଷଣା ସମସ୍ୟା ବଢ଼ାଇବ ବୋଲି ତାଲିବାନ ନେତାମାନେ ଆଶଙ୍କା କରୁଛନ୍ତି। ଗତକାଲି ତାଲିବାନ ନୂ୍ଆ ସରକାର ଘୋଷଣା କରିବା କାର୍ଯ୍ୟକ୍ରମ ଥିଲେ ମଧ୍ୟ ଏହାକୁ ଦିନକ ପାଇଁ ସ୍ଥଗିତ ରଖାଯାଇଥିଲା। ଆଜି ପୁଣିଥରେ ସରକାର ଗଠନ ପ୍ରକ୍ରିୟା ସପ୍ତାହକ ପାଇଁ ସ୍ଥଗିତ ରଖାଯାଇଥିବାରୁ ତାଲିବାନର ଦୁର୍ବଳ ରଣନୀତି ପଦାରେ ପଡ଼ିଯାଇଛି। ତାଲିବାନ ମୁଖପାତ୍ର ଜବିଉଲ୍ଳା ମୁଜାହିଦ କହିଛନ୍ତି ଯେ ସରକାର ବାବଦରେ ଚୂଡ଼ାନ୍ତ ଘୋଷଣା ପାଇଁ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ। ଅନ୍ୟପକ୍ଷେ ତାଲିବାନ ସାଂସ୍କୃତିକ କମିସନ୍ର ଉପମୁଖ୍ୟ ଅହମଦୁଲ୍ଲା ୱାସିକ୍ କହିଛନ୍ତି, ୨ରୁ ୩ ଦିନରେ ସରକାର ଗଠନ ହେବ।
ସରକାର ଗଠନ ନେଇ ତାଲିବାନ ଏକ କମିଟି ଗଠନ କରିଛି। ଏହି କମିଟି ବିଭିନ୍ନ ଗୋଷ୍ଠୀ ସହ କଥାବାର୍ତ୍ତା ଜାରି ରଖିଛନ୍ତି। ତେବେ ଅନ୍ତର୍ଜାତୀୟ ସମୁଦାୟ ପାଇଁ ଗ୍ରହଣୀୟ ହେଲାଭଳି ସରକାର ଗଠନ କରିବା ତାଲିବାନ ପାଇଁ ଏକ ଚ୍ୟାଲେଂଜ ହୋଇଛି। ସେଥିପାଇଁ ସରକାର ଗଠନରେ ବିଳମ୍ବ ହେଉଛି। ତାଲିବାନ ବାହିନୀ ନିଜେ ନିଜ ସରକାର ଗଠନ କରିପାରିବେ କିନ୍ତୁ ସେମାନଙ୍କୁ ନୂଆ ସରକାରରେ ସବୁ ଦଳ, ଗୋଷ୍ଠୀ ଏବଂ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରିବାକୁ ପଡ଼ିବ। ମୁଜାହିଦ କହିଛନ୍ତି, କେବଳ ତାଲିବାନ ନେତାଙ୍କୁ ନେଇ ସରକାର ବିଶ୍ବପାଇଁ ଗ୍ରହଣୀୟ ହେବନାହିଁ। ତେଣୁ ସବୁ ଗୋଷ୍ଠୀର ଲୋକଙ୍କୁ ନୂଆ ସରକାରରେ ସାମିଲ କରାଯିବ। ପୂର୍ବତନ ରାଷ୍ଟ୍ରପତି ଆସରଫ୍ ଘନିଙ୍କ ଭାଇ ଗୁଲ୍ବୁଦ୍ଦିନ ହେକମତୟାର ତାଲିବାନକୁ ସମର୍ଥନ କରିଛନ୍ତି। ତଲିବାନ ସରକାରରେ ତାଙ୍କର ପ୍ରତିନିଧିତ୍ବ ରହିବ ବୋଲି ମୁଜାହିଦ କହିଛନ୍ତି। ସରକାର ଗଠନ ନେଇ ଅନ୍ୟ ପକ୍ଷମାନଙ୍କ ସହ ବି ତାଲିବାନ କଥାବାର୍ତ୍ତା ଜାରି ରଖିଛି।
