ଆଦିବାସୀ ଶ୍ରମିକକୁ ଆକ୍ରମଣ ଅଭିଯୋଗ ; ୨ ଦିନ ପରେ ମାମଲା ଋଜୁ କଲା ପୁଲିସ
ଭଦ୍ରକ : ମଞ୍ଜୁରୀରୋଡ ରେଳଷ୍ଟେସନରେ ଗତ ୧୯ ତାରିଖରେ ବାହାର ଜିଲ୍ଲାର ଆଦିବାସୀ ଶ୍ରମିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଅଭିଯୋଗର ୨ ଦନି ପରେ ପୁଲିସ ମାମଲା ଋଜୁ କରିଛି । ଅଭିଯୋଗ ଅନୁଯାୟୀ କେଉଁଝର ଜିଲ୍ଲା ଘସିପୁରା ଥାନା ନାଗାଡିହି ଗ୍ରାମର ବାବୁନ ସମାଟ(୩୦) ଅନ୍ୟ ତିନିଭାଇଙ୍କ ସହ ଗତ ସୋମବାର ସକାଳେ ଟ୍ରେନ ଯୋଗେ ମଞ୍ଜୁରୀରୋଡ ଷ୍ଟେସନରେ ପହଞ୍ଚିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଥଇଳା ଗ୍ରାମର ସରୋଜ ଓରଫ ଟୁନା ବେହେରା ଜାତିଆଣ ଗାଳିଗୁଲଜ ସହ ଆକ୍ରମଣ କରିଥିଲା । ପାଖରେ ଥିବା ଅନ୍ୟଭାଇମାନେ ବୁଝାସୁଝା କରିବାରୁ ସରୋଜ ଛାଡିିଥିଲା । ଆଦିବାସୀ ଶ୍ରମିକମାନେ ଗତ ବର୍ଷ ସରୋଜଙ୍କ ଧାନକାଟି ମଜୁରୀ ପାଇନଥିବାରୁ ଅନ୍ୟତ୍ର ଧାନକାଟିବାକୁ ଯାଉଥିବା ଦେଖି ସରୋଜ ଆକ୍ରମଣ କରିଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି । ଆହତ ବାବୁନ ମେଡିକାଲରେ ଚିକିତ୍ସିତ ହୋଇ ୨୧ ତାରିଖରେ ଥାନାରେ ଅଭିଯୋଗ କରିଥିଲା । ମାତ୍ର ଅଭିଯୋଗର ୨ ଦିନ ପରେ ୨୨ ତାରିଖ ରାତ୍ରରେ ୪୬୨/୨୨ ନଂ ମାମଲା ଋଜୁ ହୋଇଥିବା ଜଣାଯାଇଛି । ମାତ୍ର ଅଭିଯୁକ୍ତକୁ ଗିରଫ କରାଯାଇନାହିଁ ।
