କୁବେରା ପଞ୍ଚାୟତରେ ପ୍ରକଳ୍ପ ଅନୁମୋଦନରେ ଅନିୟମିତତା ଅଭିଯୋଗ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୁବେରା ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଅନିୟମିତତା ଭାବେ ଅନୁମୋଦନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏ ସମ୍ପର୍କ ପଞ୍ଚାୟତର ପ୍ରେମଲତା ରାଉତ, ଭଗବତୀ ଜେନା, କୌଶଲ୍ୟା ମିଶ୍ର, ଧନେଶ୍ୱର ନାୟକ, ଝିଲିଲତା ପ୍ରଧାନ, ବନଲତା ନାୟକ, ପୁଷ୍ପରାଣୀ ଜେନା, ସୁଶାନ୍ତ କୁମାର ନାୟକ, ରୀନାରାଣୀ ରାଉତ, ଶକୁନ୍ତଳା ସେଠୀ, ଯଶୋବନ୍ତ ସାମଲ ପ୍ରମୁଖ ୧୧ଜଣ ୱାର୍ଡ଼ ସଦସ୍ୟ ଓ ସଦସ୍ୟା ବିଡିଓ, ଜିଲାପାଳ, ସହକାରୀ ଯନ୍ତ୍ରୀ, କନିଷ୍ଠଯନ୍ତ୍ରୀ ଓ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ଅଭିଯୋଗରୁ ପ୍ରକାଶ ଯେ, ନିର୍ବାଚନ ସରିବା ପର ଠାରୁ ୧୫.୧୧.୨୦୨୨ ରିଖ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ୫ଗୋଟି ବୈଠକ ଅନୁଷ୍ଠିତ ହୋଇଛି । ପଞ୍ଚାୟତର ୧୮ ସଭ୍ୟ ସଭ୍ୟା ମଧ୍ୟରୁ ଏହି ୧୧ ସଭ୍ୟସଭ୍ୟା ବୈଠକରେ ଉପସ୍ଥିତ ରୁହନ୍ତି । ମାତ୍ର ପଞ୍ଚାୟତର ଅଧିବେଶନ ଖାତାରେ ଦସ୍ତଖତ କରିବାର ନିୟମ ରହିଛି । କିନ୍ତୁ ପଞ୍ଚାୟତ ବୈଠକରେ ସରପଞ୍ଚ କିମ୍ବା ପିଇଓ କୌଣସି ଉନ୍ନୟନମୂଳକ ଆଲୋଚନା କରନ୍ତି ନାହିଁ କିମ୍ବା ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଅନ୍ତି ନାହିଁ । ଯେଉଁଥିପାଇଁ ଏହି ୧୧ ସଦସ୍ୟ ସଦସ୍ୟା ଅଧିବେଶନ ଖାତାରେ ଦସ୍ତଖତ କରନ୍ତି ନାହିଁ । କେତେକ ବୈଠକରେ ସେମାନଙ୍କୁ କୌଣସି ଲେଖା ଯାଇନଥିବା ଖାତାରେ ଦସ୍ତଖତ କରିବାକୁ ବାଧ୍ୟ କରନ୍ତି । ସେହିପରି କୌଣସି ଏକ ଅଧିବେଶନରେ ସରପଞ୍ଚ ସେମାନଙ୍କୁ ଉପସ୍ଥାନ ଖାତା କହି ଦସ୍ତଖତ କରିବାକୁ କହିଥିଲେ । ପରେ ସେମାନେ ଜାଣିବାକୁ ପାଇଲେ ଯେ କେତେକ ପ୍ରକଳ୍ପ ଅନୁମୋଦନ ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ସେଥିମଧ୍ୟରେ କୁବେରା ପ୍ରାଥମିକ ବିଦ୍ୟାଳୟ ଉନ୍ନତିକରଣ, ଦେଉଳା ସପ୍ତାପଦା ଏଲଆଇ ସେଣ୍ଟର ଉନ୍ନତିକରଣ ଓ ଭୁଆ ନାୟକ ଘର ଠାରୁ କୃଷ୍ଣପଣ୍ଡା ଦୋକାନ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ପ୍ରକଳ୍ପ ଅନ୍ତର୍ଭୁୁକ୍ତ ହୋଇଛି । ଏହି ସବୁ ପ୍ରକଳ୍ପ ୧୧ ୱାର୍ଡ଼ ସଭ୍ୟସଭ୍ୟାଙ୍କ ବିନା ଅଜ୍ଞାତରେ କିପରି କାର୍ଯ୍ୟକାରୀ ହେଲା ସେ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହି ୱାର୍ଡ଼ସଭ୍ୟ ସଭ୍ୟାଙ୍କ ଦସ୍ତଖତକୁ ଚଞ୍ଚକତା କରି କିପରି କାର୍ଯ୍ୟାଦେଶ ଦିଆଗଲା ତାହା ତଦନ୍ତ କରିବା ସହିତ ୭ଦିନ ମଧ୍ୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେମାନେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବିଡିଓ ଜ୍ୟୋତିର୍ମୟ କରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
