ଚିକିତ୍ସା ଅବହେଳାରୁ ନାବାଳିକା ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ
ନୀଳଗିରି : ବରହମପୁର ମେଡିକାଲରେ ଏକ ୫ବର୍ଷର ନାବାଳିକା ଶିଶୁର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରି ମୃତ ଶରୀରକୁ ମେଡିକାଲ ଆଗରେ ରଖି ଧାରଣା ଦେବା ଘଟଣା ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାର ଚିତ୍ର ଏଥିରୁ ସ୍ପଷ୍ଟ ବାରି ହେଉଛି । ସୂଚନା ଅନୁସାରେ ନୀଳଗିରି ବ୍ଲକ ଅଧୀନ କେ.ସି.ପୁର ପଂଚାୟତ ଅନ୍ତର୍ଗତ ବାରାଖେଦା ଗ୍ରାମର ଜଗମୋହନ ମୁର୍ମୁଙ୍କର ୫ବର୍ଷର ଶିଶୁ କନ୍ୟା ଥଣ୍ଡା,ଜ୍ୱର, ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ମଙ୍ଗଳବାର ସକାଳ ପ୍ରାୟ ୭ଘଟିକା ସମୟରେ ପରିବାର ଲୋକେ ବରହମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଉକ୍ତ ସମୟରେ ଡାକ୍ତର ସୌମ୍ୟରଞ୍ଜନ ବାରିକ ଶିଶୁକନ୍ୟାର ପ୍ରାଥମିକ ଚିକିତ୍ସା କରିଥିଲାବେଳେ ତତ୍ପରେ ଡାକ୍ତର ସୌମ୍ୟସଂବିତ ବେହେରା ନାବାଳିକା ଶିଶୁକନ୍ୟାର ଚିକିତ୍ସା କରିବା ସହ କୌଣସି ସହକର୍ମଚାରୀ ନ ଥିବାରୁ ଶେଷରେ ଜଣେ ଅନଭିଜ୍ଞ କର୍ମଚାରୀ ଅଚଳ ଅକ୍ସିଜେନ ସିଲିଣ୍ଡର ଶିଶୁକନ୍ୟା ମୁହଁରେ ଲଗାଇଥିଲେ । ମାତ୍ର କିଛି ସମୟ ପରେ ପରିବାର ଲୋକ ଏହା ଏକ ଅଚଳ ଅକ୍ସିଜେନ ବୋଲି ଜାଣିବା ପରେ ମେଡିକାଲ ପରିସରରେ ଉତେଜନା ଲାଗି ରହିଥିଲା । ପରେ କର୍ମଚାରୀଜଣକ ନୂତନ ଅକ୍ସିଜେନ ସିଲିଣ୍ଡର ଆଣି ଲଗାଇଥିଲେ । କିଛି ସମୟ ପରେ ଶିଶୁ କନ୍ୟାର ପ୍ରାଣବାୟୁ ଉଡ଼ିଯାଇଥିଲା । ମୃତ ଶିଶୁ କନ୍ୟାର ଶବକୁ ମେଡିକାଲ ସମ୍ମୁଖରେ ରଖି ଧାରଣ ଦେବା ସହ ମୃତ୍ୟୁ ପାଇଁ ଡାକ୍ତର ଓ କର୍ମଚାରୀ ଦାୟୀ ବୋଲି ଅଭିଯୋଗ କରିଥିଲେ । ଦୀର୍ଘ ଘଂଟା ଧରି ଧାରଣା ସ୍ଥଳକୁ କୌଣସି ପଦସ୍ଥ ଅଧିକାରୀ ନିଜର ମାନବିକତା ଦେଖାଇ ଧାରଣା ସ୍ଥଳରେ ନ ପହଂଚିବାରୁ ନିରୁପାୟ ହୋଇ ନିଜ ମୃତ ଶିଶୁ କନ୍ୟାକୁ ଧରି ଗାଁକୁ ନେଇ ଯାଇଥିଲେ । ଚିକିତ୍ସାରେ ଅବହେଳା କରିଥିବା କର୍ମଚାଣୀ ଏବଂ ଡାକ୍ତର ବିରୋଧରେ ଘଟଣା ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେଦାବୀ ହେଉଛି ।
