ଆରଆଇଙ୍କ ଉପରେ ଆକ୍ରମଣ ଅଭିଯୋଗ
ପିପିଲି : ମାଙ୍କଡ଼ା ପଥର ଗାଡ଼ିକୁ ପିଛା କରୁଥିବା ବେଳେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ଶିଉଳା ରାଜସ୍ୱ ସର୍କଲର ଆରଆଇ ଅଭିଲିପ୍ସା ପାଣ୍ଡେଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପିପିଲି-ଜଟଣୀ ରାସ୍ତାର ଅନନ୍ତପୁର ଛକରେ ଏକ ପଥର ବୋଝେଇ ଟ୍ରାକ୍ଟରକୁ ଚେକିଂ ପାଇଁ ଅଟକାଇବା ବେଳେ ଡ୍ରାଇଭର ଗାଡ଼ି ନରଖି ଭୟରେ ଅନନ୍ତପୁର ଗାଁ ଭିତରକୁ ଗାଡି ନେଇ ଯାଇଥିଲା । ରାଜସ୍ୱ ନିରୀକ୍ଷକ ତାଙ୍କ ସ୍କୁଟର ଯୋଗେ ଟ୍ରାକ୍ଟରର ପିଛା କରିଥିଲେ । ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଗାଁ ଭିତରେ ଥିବା ଏକ ମନ୍ଦିରର ପିଣ୍ଡି ଓ ଖୁଂଟରେ ଧକ୍କା ଦେଇଥିଲା । ଫଳରେ ଏହା ଭାଙ୍ଗି ଯାଇଥିଲା । ପରେ ଗାଡିଟି ରାସ୍ତା ପାଶ୍ୱର୍ ବିଲକୁ ଓଲଟି ପଡିଥିବା ବେଳେ ଡ୍ରାଇଭର ସେଠାରୁ ଚମ୍ପଟ୍ ମାରିଥିଲା । ଏହାକୁ ନେଇ ଉତକ୍ଷିପ୍ତ ଗାଁଲୋକେ ଆରଆଇଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
