ଆଇପିଏଲ୍ରେ ଅହମ୍ମଦାବାଦ, ଲକ୍ଷ୍ନୌ ନୂଆ ଟିମ୍
ଦୁବାଇ : ଆଇପିଏଲର ୧୫ଶ ସଂସ୍କରଣ ପାଇଁ ଦୁଇ ନୂଆ ଟିମର ଘୋଷଣା କରାଯାଇଛି। ଆଇପିଏଲ-୨୦୨୨ରେ ଦୁଇଟି ନୂଆ ଦଳ ଦେଖିବାକୁ ମିଳିବ । ସେଗୁଡ଼ିକ ହେଉଛି ଅହମଦାବାଦ ଓ ଲକ୍ଷ୍ନୌ । ଏଥିସହ ଆଇପିଏଲରେ ଟିମ୍ ସଂଖ୍ୟା ୧୦ରେ ପହଞ୍ଚି ଯାଇଛି। ତେବେ ଆଇପିଏଲ ଟିମ୍ ଦୌଡ଼ରେ ଥିବା କଟକକୁ ନିରାଶ ହେବାକୁ ପଡ଼ିଛି । ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ ପାର୍ଟନର୍ସ ଗ୍ରୁପ୍ କିଣିଥିବା ବେଳେ ଲକ୍ଷ୍ନୌର ଟିମକୁ ଆରପିଏସଜି ଗ୍ରୁପ୍ କିଣିଛି। ଅହମ୍ମଦାବାଦର ଟିମକୁ ସିଭିସି କ୍ୟାପିଟାଲ୍ସ ୫୧୬୬ କୋଟି ଟଙ୍କାରେ କିଣିଛି ଏବଂ ଲକ୍ଷ୍ନୌର ଟିମ ୭୦୯୦ କୋଟି ଟଙ୍କାରେ ଆରପିଏସଜି ଗ୍ରୁପ୍ ହାତକୁ ଯାଇଛି। ଏହି ଦୁଇ ନୂଆ ଟିମ୍ ଦ୍ୱାରା ବିସିସିଆଇକୁ ପାଖାପାଖି ୧୨ ହଜାର କୋଟି ଟଙ୍କାରୁ ଅଧିକ ଆୟ ହୋଇଛି, ଯାହା ଆଶା ଠାରୁ ବହୁତ ଅଧିକ।ଆଇପିଏଲର ଦୁଇ ନୂଆ ଟିମରୁ ବିସିସିଆଇକୁ ପାଖାପାଖି ୭ରୁ ୧୦ କୋଟି ଟଙ୍କାର ଆୟ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏହି ଆୟ ୧୨ ହଜାର କୋଟି ଟପି ଯାଇଛି। ସଞ୍ଜୀବ ଗୋଏଙ୍କାଙ୍କ ଗ୍ରୁପ୍ ଏତେ ଟଙ୍କାର ନିଲାମ ଡାକି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ଦୁବାଇରେ ସୋମବାର ଆଇପିଏଲ୍ ଟିମ୍ ନିଲାମ ପାଇଁ ବିଡିଂ ହୋଇଥିଲା। ଆଇପିଏଲର ୨ ନୂଆ ଟିମ୍ ଦୌଡ଼ରେ ୬ଟି ସହର ସାମିଲ୍ ଥିଲା। ଏଥିରେ ଅହମ୍ମଦାବାଦ, ଲକ୍ଷ୍ନୌ, କଟକ, ଗୌହାଟୀ, ଧର୍ମଶାଳା ଓ ଇନ୍ଦୋର ନାଁ ଥିଲା। ତେବେ ଏମାନଙ୍କ ମଧ୍ୟରୁ ଅହମ୍ମଦାବାଦ ସବୁଠାରୁ ବଡ଼ ଦାବିଦାର ଥିଲା। ଏହାର କାରଣ ହେଉଛି ସେଠାରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ। ଏହି ଷ୍ଟାଡିୟମର କ୍ଷମତା ହେଉଛି ୧ ଲକ୍ଷରୁ ଅଧିକ। ଏହାବ୍ୟତୀତ ଲକ୍ଷ୍ନୌର ନାଁ ମଧ୍ୟ ତାଲିକାର ସବୁଠାରୁ ଆଗରେ ଥିଲା। ଏହି ସହରରେ ମଧ୍ୟ ବିଶ୍ୱସ୍ତରୀୟ କ୍ରିକେଟ୍ ଷ୍ଟାଡିୟମ ରହିଛି। ଆଇପିଏଲର ନୂଆ ଟିମ୍ କିଣିବା ପାଇଁ ମୋଟ ୨୨ ଶିଳ୍ପାନୁଷ୍ଠାନ ଓ କମ୍ପାନୀ ଆଗ୍ରହ ଦେଖାଇଥିଲେ। ଏମାନେ ସମସ୍ତେ ଟେଣ୍ଟର ଡକ୍ୟୁମେଣ୍ଟ କିଣିଥିଲେ। ବିଡରମାନଙ୍କ ମଧ୍ୟରେ ଆଦାନୀ ଗ୍ରୁପ୍, ଇଂଲିଶ ଫୁଟବଲ୍ କ୍ଲବ୍ ମାଞ୍ଚେଷ୍ଟର୍ ୟୁନାଇଟେଡର ମାଲିକ ଗ୍ଲେଜର ଫ୍ୟାମିଲୀ, ଟରେଣ୍ଟ ଫାର୍ମା, ଅରବିନ୍ଦ ଫାର୍ମା, ପୂର୍ବତନ ମନ୍ତ୍ରୀ ନବୀନ ଜିନ୍ଦଲଙ୍କ ଜିନ୍ଦଲ ଷ୍ଟିଲ ବ୍ୟତୀତ କିଛି ପ୍ରାଇଭେଟ୍ ଇକ୍ୱିଟି ଲୋକେ ମଧ୍ୟ ସାମିଲ୍ ଥିଲେ। ଗୋଏଙ୍କା ଦୁଇ ବର୍ଷ ଧରି ପୁଣେ ଫ୍ରାଞ୍ଚାଇଜ୍ ରାଇଜିଂ ପୁଣେ ସୁପର ଜାଏଣ୍ଟସ୍ (ଆରପିଏସ୍)ର ମାଲିକ ରହିଆସିଛନ୍ତି ଏବଂ ଆଇଏସ୍ଏଲ୍ (ଇଣ୍ଡିଆନ୍ ସୁପର ଲିଗ୍) ଫ୍ରାଞ୍ଚାଇଜ୍ ଏଟିକେ ମୋହନ ବାଗାନର ମଧ୍ୟ ମାଲିକ ଅଛନ୍ତି। ଏହା ପୂର୍ବରୁ ଡେକାନ ଚାର୍ଜର୍ସ, କୋଚି ଟସ୍କର୍ସ କେରଳ, ପୁଣେ ୱାରିୟର୍ସ ଇଣ୍ଡିଆ, ରାଇଜିଂ ପୁଣେ ସୁପର୍ ଜାଏଣ୍ଟସ ଓ ଗୁଜରାଟ ଲାୟନ୍ସ ଭଳି ଫ୍ରାଞ୍ଚାଇଜି ଗୋଟିଏ କିମ୍ବା ଦୁଇଟି ସିଜନରେ ଭାଗ ନେଇଥିଲେ। କିନ୍ତୁ ଭିନ୍ନ ଭିନ୍ନ କାରଣରୁ ଏମାନେ ଗାୟବ ହୋଇଯାଇଥିଲେ। ଏଥିରୁ କେବଳ ଡେକାନ ଚାର୍ଜର୍ସ ଟିମର ମାଲିକାନା ବଦଳିଛି। ଏବେ ସେହି ଟିମ୍ ସନରାଇଜର୍ସ ହାଇଦ୍ରାବାଦ ନାମରେ ଆଇପିଏଲରେ ଖେଳୁଛି। ଏବେ ଆଇପିଏଲରେ ମୋଟ ୧୦ ଟିମ୍ ହୋଇଛନ୍ତି। ଏମାନେ ହେଲେ ଅହମ୍ମଦାବାଦ ଓ ଲକ୍ଷ୍ନୌ ବ୍ୟତୀତ ରାଜସ୍ଥାନ, ପଞ୍ଜାବ, ଚେନ୍ନାଇ, ମୁମ୍ବାଇ, ବାଙ୍ଗାଲୋର, କୋଲକାତା, ହାଇଦ୍ରାବାଦ ଓ ଦିଲ୍ଲୀ। ଏବେ ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ମେଗା ଅକ୍ସନ୍ ହେବ। ଯାହା ପରେ ଅହମ୍ମଦାବାଦ ଓ ଲକ୍ଷ୍ନୌ ଟିମ୍ ସେମାନଙ୍କର ଟିମ୍ ସହ ଖେଳିବ।
