ଦୁଇ ଚୋର ଗିରଫ, ୬ ହଜାର ୩୦୦ଟଙ୍କା, ଲାପଟପ୍ ଓ ୧୨ ମୋବାଇଲ ଫୋନ ଜବତ
କଟକ : ସଦର ଥାନା ପୋଲିସ ଦୁଇ ଜଣ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୬ ହଜାର ୩୦୦ ଟଙ୍କା, ଗୋଟିଏ ଏଚପି ଲାପଟପ୍ ଓ ୧୨ ଟି ସ୍ମାର୍ଟ ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ଭୁବନେଶ୍ୱର ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀର ଲିପୁନ ଓରଫ ସୂର୍ଯ୍ୟପ୍ରକାଶ ସ୍ୱାଇଁ(୨୧) ଓ କବି ରେଡ୍ଡି(୨୨) । ପୋଲିସ ସୂତ୍ରରୁ ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ଜଗନ୍ନାଥବିହାରର ପ୍ରଦୀପ୍ତ କୁମାର ପରିଜା ତାଙ୍କର ଘର ଝରକା ଭାଙ୍ଗି ଗତ ୬ ତାରିଖ ରାତିରେ କେହି ଦୁର୍ବୃତ୍ତ ରେଡମୀ -୯ଏ ମୋବାଇଲ ଫୋନ ଚୋରି କରିନେଇଯାଇଥିବା ଗତକାଲି ରାତିରେ ସଦର ଥାନାରେ ଲିଖିତ ଏତଲା ଦେଇଥିଲେ । ଏହି ମାମଲାର ତଦନ୍ତ କରି ପୋଲିସ ଉପରୋକ୍ତ ଦୁଇଜଣଙ୍କ ସଂପୃକ୍ତି ଥିବା ସୂଚନା ପାଇ ଉଭୟଙ୍କୁ ଗିରଫ କରିଥିଲା । ତେବେ ପଚରା ଉଚରା ବେଳେ ଏମାନଙ୍କ ସାଙ୍ଗରେ ଶାନ୍ତିପଲ୍ଲୀର ଗୋପି ନାମକ ଅନ୍ୟ ଏକ ଯୁବକ ମିଶି କଟକ, ଭୁବନେଶ୍ୱରର ଅନେକ ସ୍ଥାନରେ ଏହିଭଳି ଚୋରି କରିଥିବା ସେମାନେ ସ୍ୱୀକାର କରିଥିଲେ । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
