ଦୁର୍ଗାପୂଜା ପୂର୍ବରୁ ଅବକାରୀ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଚଢଉ, ୧୬୮ ଜଣ ଗିରଫ
କଟକ : ଦୁର୍ଗାପୂଜା ପୂର୍ବରୁ ଅବକାରୀ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଚଢଉ, ୧୬୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ କୋଟି କୋଟି ଟଙ୍କା ମୂଲ୍ୟର ନିଶା ସାମଗ୍ରୀ ଜବତ କରାଯାଇଛି । ଗତ ୨୧ ତାରିଖରୁ ୩୦ ତାରିଖ ମଧ୍ୟରେ ଅବକାରୀ ଅଧିକାରୀମାନେ ସାରା ରାଜ୍ୟରେ ଚଢଉ କରିଥିବା ବେଳେ ୧୫୪ଟି ନାର୍କୋଟିକ୍ସ ଏବଂ ନକଲି ମଦ ମାମଲା ରୁଜୁ କରିଛନ୍ତି । ଏହି ଚଢଉରେ ୨୪୮୪.୦୦ ଗ୍ରାମ୍ ହୋରୋଇନ୍, ୧୧୦୩ କେଜି ଗଞ୍ଜେଇ, ୫୨.୭ ଲିଟର କଫ୍ ସିରପ୍, ୧୪୧୮.୪ ଲିଟର ନକଲି ବିଦେଶୀ ମଦ, ଏବଂ ୯୦୫ ଲିଟର ସ୍ପିରିଟ୍ ଓ ୧୪୭ଟି ଗାଡି ଜବତ କରାଯାଇଛି । ସମୁଦାୟ ଜବତ ସାମଗ୍ରୀର ମୂଲ୍ୟ ୮ କୋଟି ୨୭ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏନଡିପିଏସ ଆକ୍ଟ ଅନୁଯାୟୀ ୯୯ ଜଣଙ୍କୁ ଏବଂ ନକଲି ବିଦେଶୀ ମଦ ପାଇଁ ୬୪ ଜଣଙ୍କୁ ଏକ୍ସାଇଜ୍ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି । ସମସ୍ତ ଅଧିକ୍ଷକଙ୍କୁ ଦୁର୍ଗାପୂଜା ଓ ପରବର୍ତ୍ତୀ ପର୍ବପର୍ବାଣୀରେ ବ୍ୟାପକ ଚଢଉ କରିବା ଏବଂ ମଦ୍ୟପାନର ବେଆଇନ କାରବାରକୁ ରୋକିବା ଲାଗି ତଥା ସାଧାରଣ ଜନତାଙ୍କଠାରୁ ସୂଚନା ପାଇବା ପାଇଁ ସେମାନଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦିନରେ ଏହି ଚଢଉ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।
