ସ୍ୱାମୀଙ୍କ ମୃତ୍ୟୁପରେ ବିଧବା ସ୍ତ୍ରୀକୁ ଘରୁ ତଡ଼ିଦେଲେ ଶାଶୂଘର ଲୋକେ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ବଡଗରା ଗ୍ରାମର ସ୍ୱର୍ଗତ ମନୋଜ ରାଉତଙ୍କ ପତ୍ନୀ ଶୁଭଶ୍ରୀ ପାତ୍ରଙ୍କ ଶାଶୂଘର ଲୋକେ ଘରୁ ତଡି ଦେଇଥିବା ନେଇ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରାଯାଇଛି । ଅଭିଯୋଗ ମୁତାବକ ୨୦୧୩ ମସିହାରେ ବଡଗରା ଗ୍ରାମର ମନୋଜ ରାଉତଙ୍କ ସହିତ ଶୁଭଶ୍ରୀଙ୍କର ବୈଦିକ ମତେ ବିବାହ ହୋଇଥିଲା । ଦାବି ମୁତାବକ ସମସ୍ତ ଯୈାତୁକ ଦିଆଯାଇ ଥିଲେ ମଧ୍ୟ ଅଧିକ ଯୈାତୁକ ଦାବିରେ ଶାଶୂଘର ଲୋକେ ଶୁଭଶ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଦୁବାଇରେ ଚାକିରୀ କରୁଥିବା ମନୋଜ ସମୟକ୍ରମେ ସେଠାରୁ ଆସି ଅନ୍ୟତ୍ର ସ୍ୱାମୀ ସ୍ତ୍ରୀ ଘରଭଡା ନେଇ ରହୁଥିବା ବେଳେ ୨୦୨୩ ଫେବୃଆରୀ ୬ ତାରିଖରେ ସଡକ ଦୁର୍ଘଟଣାରେ ମନୋଜଙ୍କର ମୃତ୍ୟୁ ହୋଇଛି । ତାଙ୍କ କ୍ରିୟାକ୍ରମରେ ଯୋଗ ଦେବା ପାଇଁ ଶାଶୂ ଘରକୁ ଯାଇଥିବା ଶୁଭଶ୍ରୀଙ୍କୁ ଶାଶୂଘର ଲୋକେ ମାରଧର କରିବା ସହ ଘରୁ ତଡି ଦେଇ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଓ ତାଙ୍କର ଦୁଇ ଶିଶୁ କନ୍ୟାଙ୍କୁ ଛଡାଇ ରଖିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେଶ ପାଣ୍ଡେଙ୍କ ନିକଟରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିବା ଜଣାପଡିଛି ।
