ମିତଲ ପରେ ଏବେ ଇଡକୋକୁ ବିରୋଧ ; ତହସିଲ ଅଫିସ ଘେରିଲେ ଚିନାମାଳିପଶି ଗ୍ରାମବାସୀ
କେନ୍ଦୁଝର : ପାଟଣା ତହସିଲ ଅଂଚଳରେ ମେଗା ଇସ୍ପାତ କାରଖାନା କରିବାକୁ ଘୋଷଣା କରିଥିବା ଆର୍ସେଲର ମିତଲକୁ ଘୋର ବିରୋଧ ଯୋଗୁଁ ସେ କେନ୍ଦୁଝର ଜିଲ୍ଲା ଛାଡିଥିଲା । ଏବେ ପାଟଣା ତହସିଲ ଅଂଚଳରେ ଶିଳ୍ପ ସ୍ଥାପନ ପାଇଁ ଇଡକୋର ଜମି ଅଧିଗ୍ରହଣକୁ ବିରୋଧ ଆରମ୍ଭ ହେଲାଣି । ପାଟଣା ତହସିଲ ଅଂଚଳର ଚିନାମାଳିପଶି ପଂଚାୟତ ଅଂଚଳରେ ୬୦ ଏକର ସରକାରୀ ଜମି ଇଡକୋକୁ ପ୍ରଦାନ ପାଇଁ ଆପତି ଅଭିଯୋଗ ଆହ୍ୱାନ କରାଯାଇଥିଲା । କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ଚିନାମାଳିପଶି ଗ୍ରାମବାସୀ ସୋମବାର ପାଟଣା ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ଯବାନ ମାନଙ୍କ ପାଇଁ ସଂରକ୍ଷିତ ଥିବା ସରକାରୀ ଜମିକୁ ଇଡକୋକୁ ହସ୍ତାନ୍ତର ନିମନ୍ତେ ତହସିଲ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ନୋଟିସ ଦିଆଯାଇଥିଲା । ନୋଟିସ ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । ଅଂଚଳର ଲୋକେ ଗରିବ ଶ୍ରେଣୀର ହୋଇଥିବା ବେଳେ ଅଧିକାଂଶ ଲୋକେ ଚାଷବାସ ଉପରେ ନିର୍ଭର କରିଥାନ୍ତି । ଏଠାରେ ଶିଳ୍ପ ପ୍ରତିଷ୍ଠା ପ୍ରତିଷ୍ଠା ହେଲେ ଚାଷବାସ ଉପରେ ପ୍ରଭାବ ପଡିବା ସହ ପରିବେଶ ଦୂଷିତ ହେବ ବୋଲି ଗ୍ରାମବାସୀ ମାନେ ଆଶଙ୍କା କରିଛନ୍ତି । ତେଣୁ ଆଜି ଶହ ଶହ ଗ୍ରାମବାସୀ ଏହାକୁ ବିରୋଧ କରି ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ପତ୍ର ପାଇବା ପରେ ତହସିଲଦାର ଲୋକମାନଙ୍କୁ ବୁଝାସୁଝା କରିବା ସହ ଲୋକମାନଙ୍କ ଆପତି ଅଭିଯୋଗକୁ ଗୁରୁତ୍ୱ ଦିଆଯାଇ ଆଗାମୀ ପଦପେକ୍ଷ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
