ସାଢ଼େ ୪ ଘଣ୍ଟା ପରେ ଉଦ୍ଧାର ହେଲେ ମୁକ୍ତିକାନ୍ତ
ଭୁବନେଶ୍ୱର : ହୋର୍ଡିଂ ଉପରେ ଚଢ଼ିଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଦୀର୍ଘ ସାଢ଼େ ୪ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଅଗ୍ନିଶମ ବାହିନୀ ଟିମ୍ ସିଡ଼ି ସାହଯ୍ୟରେ ପହଞ୍ଚି ମୁକ୍ତିକାନ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଉଦ୍ଧାର ପରେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ମୁକ୍ତିକାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ଜଣାପଡ଼ିଛି । ଉଦ୍ଧାର ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁକ୍ତିକାନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ ନ କରିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ । ମୋତେ ଯଦି ଗିରଫ କରାଯାଏ ଜେଲରେ ଆମରଣ ଅନଶନ କରିବି ।
ସୂଚନାଯୋଗ୍ୟ, ମୁକ୍ତିକାନ୍ତ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନଭେମ୍ବର ୧୬ରେ ଘରୁ ବାହାରିଥିଲେ । ଡିସେମ୍ବର ୧୬ରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ । ୨୦୧୩ରେ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ସେଥିମଧ୍ୟରୁ ଆରଜିଏଚକୁ କ୍ୟାପିଟାଲ ହସ୍ପିଟାଲ ଭଳି ସୁବିଧା ଦେବା କଥା କହିଥିଲେ । କୋଏଲ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ କହି ଶୁଭ ଦେଇଥିଲେ । କୋଏଲ ନଦୀରେ ରିଙ୍ଗ ରୋଡ ହେବ କହି ଶିଳାନ୍ୟାସ କରିଥିଲେ । ଏନେଇ ୨୦୧୮ ଅଗଷ୍ଟ ୧୯ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ମୁକ୍ତିକାନ୍ତ ଏପରି ପନ୍ଥା ଆପଣାଇଛନ୍ତି ।
ରାଜଧାନୀ ଭୁବନେଶ୍ୱରର ଶିଶୁଭବନ ଛକରେ ଆଜି ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଶିଶୁ ଭବନ ଛକରେ ଏକ ହୋର୍ଡିଂ ଉପରେ ବସି ପ୍ରତିବାଦ କରୁଛନ୍ତି । ମୁକ୍ତକାନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଏକ ପ୍ରତିଶ୍ରୁତି ପୂରଣ ପାଇଁ ତାଙ୍କୁ ଭେଟିବାକୁ ଆସିଥିଲେ । ରାଉରକେଲାରୁ ଚାଲି ଚାଲି ଆସିଥିବା ମୁକ୍ତିକାନ୍ତ ୭ ଦିନ ବିତିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନଥିଲେ । ସେଥିପାଇଁ ପ୍ରତିବାଦ କରି ସାକ୍ଷାତ ନମିଳିଲେ ଆତ୍ମାହୁତି ଦେବି ବୋଲି ମୁକ୍ତିକାନ୍ତ କହୁଛନ୍ତି ।
