ରାଜ୍ୟରେ ୨ ଦିନ ପରେ କମିବ ଶୀତ
ଭୁବନେଶ୍ବର : ରାଜ୍ୟର ରାତି ତାପମାତ୍ରା ଧୀରେଧୀରେ ବଢ଼ିବା ଆରମ୍ଭ କରିଛି। ତଥାପି ରାଜ୍ୟର ଅଧିକାଂଶ ଜିଲାରେ ଜାଡ଼ ଜାରି ରହିଛି । ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬.୫ ଡିଗ୍ରି ରହିଥିଲା। ସୁନ୍ଦରଗଡ଼ ଓ କୋରାପୁଟରେ ରାତି ତାପମାତ୍ରା ୯.୫ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଗତ ରାତିରେ ଭୁବନେଶ୍ବରର ସର୍ବନିମ୍ନ ୧୪.୯ ଡିଗ୍ରି ଓ କଟକରେ ୧୫.୫ ଡିଗ୍ରି ରହିଥିଲା। ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୨ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଦିନରେ ଏବେ ପ୍ରବଳ ଖରା ହେଉଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୩୪.୫ଡିଗ୍ରି ରେକର୍ଡ ହୋଇଛି। ପଛକୁ ରହିଛି ରାଜଧାନୀ। ଏଠାରେ ଦିନ ତାପମାତ୍ରା ୩୪.୨ ଡିଗ୍ରି ରହିଥିଲା।
