ଆଦିତ୍ୟ ମହାପାତ୍ର ହାଇକୋର୍ଟର ନୂଆ ବିଚାରପତି, ଆଜି ନେବେ ଶପଥ
କଟକ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର। ଶ୍ରୀ ମହାପାତ୍ର ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଶପଥ ନେବେ ବୋଲି ଜଣାପଡ଼ିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂଆ କୋଠାର ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଶ୍ରୀ ମହାପାତ୍ରଙ୍କୁ ଶପଥପାଠ କରାଇବାର କାର୍ଯ୍ୟକ୍ରମ ଆପାତତଃ ସ୍ଥିର ହୋଇଛି।
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଇଁ ଆଉ ଜଣେ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ୨୦୨୧ ସେପ୍ଟେମ୍ବର ୨୯ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ରଙ୍କ ନାଁ ସୁପାରିସ କରିଥିଲା। ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପରେ ଏ ନେଇ ଶ୍ରୀ ମହାପାତ୍ରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ବୁଧବାର ପ୍ରକାଶିତ ହୋଇଥିଲା। ସୂଚନା ଯେ, ଗ୍ରନ୍ଥ ମନ୍ଦିରର ପ୍ରତିଷ୍ଠାତା ଶ୍ରୀଧର ମହାପାତ୍ରଙ୍କ ନାତି ତଥା ଅଭିରାମ ମହାପାତ୍ରଙ୍କ ପୁତ୍ର କଟକ ସୂତାହାଟର ବାସିନ୍ଦା ଆଦିତ୍ୟ କୁମାର ମହାପାତ୍ର ୧୯୮୪ ମସିହାରେ ରେଭେନ୍ସା କଲିଜିଏଟ ସ୍କୁଲରୁ ଦଶମ (ମାଟ୍ରିକ) ପାସ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ। ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲ୍.ଏଲ୍.ବି ଡିଗ୍ରୀ ଶେଷ କରି ୧୯୯୫ ମସିହାରେ ରାଜ୍ୟ ଆଇନଜୀବୀ ପରିଷଦରେ ଓକିଲ ଭାବେ ପଞ୍ଜିକୃତ ହୋଇଥିଲେ। ସେହି ବର୍ଷଠାରୁ ଓଡିଶା ଉଚ୍ଚ ନ୍ୟାୟାଳୟରେ ସେ ଓକିଲାତି ଆରମ୍ଭ କରିଥିଲେ। ଓଡିଶା ମାନବିକ ଅଧିକାର ଆୟୋଗ, ବିପିୟୁଟି ଓ ଭାରତୀୟ ନିର୍ବାଚନ କମିସନଙ୍କର ଓକିଲ ଭାବେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଗୁରୁ ଦାୟିତ୍ୱ ନିର୍ବାହ କରିଥିଲେ। ଦୀର୍ଘ ୨୬ ବର୍ଷ ଧରି ଉଚ୍ଚ ନ୍ୟାୟାଳୟରେ ବହୁ ମାମଲା ସଫଳତାର ସହ ସେ ପରିଚାଳନା କରି ଆସୁଥିଲେ। ଆଦିତ୍ୟ କୁମାର ମହାପାତ୍ରଙ୍କ ବିଚାରପତି ଭାବେ ଶପଥ ନେବା ପରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ବିଚାରପତି ସଂଖ୍ୟା ୧୮ ରେ ପହଞ୍ଚିବ।
