ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ ମିଶ୍ର କ୍ରମାଗତ ଅବହେଳା ରାଜ୍ୟକୁ ଦୁଇ ଭାଗ କରିପାରେ, ଏଥି ପାଇଁ ଦାୟୀ ରହିବେ ସରକାର
ବଲାଙ୍ଗିର : ରାଜ୍ୟ ସରକାର କ୍ରମାଗତ ଭାବରେ ବଲାଙ୍ଗିର ଅଧିକାର ପ୍ରତି ବୈମାତୃକ ମନୋଭାବ ଦେଖାଉଛି । ମୁଁ ବ୍ୟକ୍ତଗତ ଭାବରେ ରାଜ୍ୟକୁ ଦୁଇ ଭାଗ କରିବାର ସପକ୍ଷରେ ନାହିଁ , କିନ୍ତୁ ଶିକ୍ଷା,ସ୍ୱାସ୍ଥ୍ୟ, ଜଳସେଚନ, କୃଷିର ବିକାଶକୁ ନେଇ ସରକାର ଆମ ଅଂଚଳକୁ କରୁଥିବା କ୍ରମାଗତ ଅବହେଳା ପାଇଁ ଲୋକେ ପ୍ରତିକ୍ରିୟାଶୀଳ ହେଲେଣି । ସରକାରଙ୍କ ଏପରି ମନୋଭାବ ଜାରି ରହିଲେ ଓ ଲୋକେ ତାତିଲେ ରାଜ୍ୟ ଦୁଇ ଭାଗ ହୋଇପାରେ ବୋଲି ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି , ଉପକୁଳ ଅଂଚଳରେ ବିଭିନ୍ନ ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଖର୍ଚ୍ଚ ହେଉଥିବା ବେଳେ ଆମ ଅଂଚଳର ଛୋଟ ଛୋଟ ପ୍ରକଳ୍ପ ପାଇଁ ମଧ୍ୟ ଲୋକଙ୍କୁ ରାଜ ରାସ୍ତାକୁ ଓହ୍ଲାଇବାକୁ ପଡୁଛି । ସରକାର ଓ ତାଙ୍କ ପ୍ରଶାସନିକ ଅଧିକାରୀ ଲୋକ ପ୍ରତିନିଧିଙ୍କୁ କିମ୍ବା ତାଙ୍କ ମତକୁ ଆଦୁ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ବଲାଙ୍ଗିର ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯଯାଇ ଲୋକ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଉ ନାହିଁ । ଦରକାର ହେଲେ ଏହି ପ୍ରସଙ୍ଗ ବିଧାନ ସଭାରେ ସେ ସ୍ୱାଧୀକାର ଭଂଗ ନୋଟିସ ଆଗତ କରିବେ ବୋଲି କ୍ଷୋଭର ସହିତ କହିଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଧିକାର ରହିଛି ସେ କୌଣସି ପ୍ରକଳ୍ପର ଉଦଘାଟନ କରି ପାରିବେ, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ସରକାର ମୁଖ୍ୟ ଟେଣ୍ଡର ହୋଇନଥିବା ପ୍ରକଳ୍ପ ଗୁଡିକୁ ସ୍ଥାନୀୟ ଜନ ପ୍ରତିନିôଙ୍କୁ ନିମନ୍ତ୍ରଣ ନକରି ଭିତ୍ତିପ୍ରସ୍ତର ଓ ଉଦଘାଟନ କରୁଛନ୍ତି । ଫଳରେ ତାଙ୍କର ଅନୁଗାମୀ ଓ ଅଧିକାରୀମାନେ ମଧ୍ୟ ନିୟମ ଭଙ୍ଗ କରି ଏଭଳି କାର୍ଯ୍ୟକ୍ରମ ଜାରି ରଖୁଛନ୍ତିା ଯାହା ଅତି ଦୁଖର ବିଷୟ । କିଛି ଦିନ ପୁର୍ବରୁ ରାଣୀ ଏଲିଜାବେଥଙ୍କ ମୃତ୍ୟୁରେ ସର୍ବଭାରତୀୟ ସ୍ତରରେ ଶୋକଦିବସ ପାଳନ କରାଗଲା । କିିନ୍ତୁ ଦୁଖର ବିଷୟ ଏହି ଦିନ ଆମ ଜିଲ୍ଲାର ଅଧିକାରୀମାନେ ଜିଲ୍ଲାର ବିଭନ୍ନ ସ୍ଥାନରେ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଯାହାକି ସରକାରୀ ନିର୍ଦ୍ଦେଶ ସଂପୁର୍ଣ୍ଣ ଅବମାନନା ଅଟେ । କିଛି ଦିନ ପୁର୍ବରୁ ଇନଷ୍ଟିଟ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ରେ କରଡିରେ ଶହେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ସ୍ଥାନୀୟ ବନ ବିଭାଗ ଏଚଂ ଅଧିକାରୀମାନେ ଗରିବ କରଡି ବେପାରିଙ୍କ ଠାରୁ କରଡି ଜବତ କରି ତାଙ୍କୁ ଦଣ୍ଡ ବିଧାନ କରୁଥିବା ସ୍ଥଳେ ସରକାରୀ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାରେ ହୋଇଥିବା ଏହି କରଡି ବ୍ୟଞ୍ଜନ ପ୍ରଦର୍ଶନୀ ଉପରେ ରୋକ ଲଗାଇଲେ ନାହିଁ କାହିଁକି । ଏହି ସଂସ୍ଥାର ମୂଖ୍ୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଡିଏଫଓ ପଛଘୁଞ୍ଚ ଦେଉଛନ୍ତି କାହିଁକି ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଲକ୍ଷ୍ମୀ ଯୋର ଓ ମହାରଣୀ ସାଗର ଉନ୍ନତି ପାଇଁ ଟଙ୍କା ଥାଇ ମଧ୍ୟ ଉଦ୍ଦେଶ୍ୟମୁଳକ ଭାବରେ କାମକୁ ବନ୍ଦ କରାଯାଇଛି ବୋଲି କ୍ଷୋଭର ସହ କହିଥିଲେ । ଆହୁରି ମଧ୍ୟ ବଲାଙ୍ଗିର ରିଂ ରୋଡ ଓ ବାଇପାସ୍ କାମ ଆରମ୍ଭ କରି ସଂପୁର୍ଣ୍ଣ କରିବାରେ ସରକାରଙ୍କ ଆନ୍ତରିକତା ନାହିଁ । ସେହିପରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ଆମ ଜିଲ୍ଲା ପ୍ରତି କ୍ରମାଗତ ଅବହେଳା କରୁଛନ୍ତି । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କେବଳ ଏକ ସାଇନ ବୋର୍ଡରେ ସିମିତ ରହିଛି । ଏହାର ନିଜସ୍ୱ ଜମି ନାହିଁ । ପ୍ରାଧ୍ୟାପକ ନାହାନ୍ତି । ମହିଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗରେ ଜଣେ ମଧ୍ୟ ଅଧ୍ୟାପକ ନାହାନ୍ତି । ଠିକ ସେହିପରି ପ୍ରାଇମେରି ଓ ହାଇସ୍କୁଲମାନଙ୍କରେ କେବଳ କୋଠା ଥିବାବେଳେ ଶିକ୍ଷକ ନାହାନ୍ତି । ଗାଁ ମାନଙ୍କରେ ତ ସ୍କୁଲ କୋଠା ମଧ୍ୟ ନାହିଁ । ଯେହେତୁ ଶିକ୍ଷା ଏକ ମୌଳିକ ଅଧିକାର ସରକାର ଓ ତାଙ୍କ ଅଧିକାରୀମାନେ ସମ୍ବିଧନକୁ ମଧ୍ୟ ମାନୁ ନାହାନ୍ତି । ସ୍ୱାସ୍ଥ୍ୟ ବିଭାଗକୁ ଦେଖିଲେ ବଲାଙ୍ଗିର ମେଡିକାଲ କଲେଜ ପାଇଁ ଆମେ ବହୁତ ଉତ୍ସହିତ ଥିଲେ । କିନ୍ତୁ ସେଟାରେ ମଧ୍ୟ ଡାକ୍ତରଙ୍କ ଘୋର ଅଭାବ । ଯାହା ଅଛନ୍ତି ସେଥିରୁ ୬୦ ଶତକଡା ସପ୍ତାହ ବ୍ୟାପି ଅନୁପସ୍ଥିତ ରହୁଛନ୍ତି । ଦେଓଗାଁ ଓ ଚୁଡାପ।।ଲିକୁ ସରକାରଙ୍କ ସହ ଲଢେଇ କରି ଡାକ୍ତର ଅଣାଯାଇଥିଲା । ମାତ୍ର ଜିଲ୍ଲା ଚିକିତ୍ସାଅଧିକାରୀ ସେମାନଙ୍କୁ ଅଣ୍ୟତ୍ର ବଦଳି କରି ଉଭୟ ଅଂଚଳକୁ ପୁଣି ଡାକ୍ତର ଶୁନ୍ୟ କରିଛନ୍ତି । ୬୫୦ ଶଯ୍ୟା ବିଶିଷ୍ଟ ଭୀମ ଭୋଇ ମେଡିକାଲ କଲେଜ ର ଢାକ୍ତରଖାନା ୨୦୨୨ ସୁଦ୍ଧା ସମ୍ପୁର୍ଣ୍ଣ ହେବା କଥା କିନ୍ତୁ ନିର୍ମାଣକାରୀ ସଂସ୍ଥାକୁ ସଂପୁର୍ଣ୍ଣ କରିବା ସମୟ ଅବଧି ବଢାଇବା ପାଇଁ ସରକାରଙ୍କ ଅନୁମତି ପ୍ରଦାନ କରିବାରୁ ପ୍ରମାଣିତ ହେଉଛି ଯେ, ଆମ ଅଂଚଳ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ କେତେ ପ୍ରଖର ଅଛି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଲୋୟର ସୁକତେଲ ବିସ୍ଥାପିତଙ୍କ ପାଇଁ ଆରପିଡିଏସି ବୈଠକ ନହେବା, ଭୀମ ଭୋଇ ମେଡିକାଲ କୋଠାରୁ ପାଣି ଗଳୁଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ସ୍ଥାନୀୟ ରାଜ ପରିବାରଙ୍କ ଦ୍ୱାରା ଚାରି ହଜାର କୋଟି ଟଙ୍କାର ଜମି ଦୁର୍ନିତି ହୋଇଥିବା ସରକାର ଜାଣି ଥିଲେ ସୁଦ୍ଧା ସେମାନେ ତାଙ୍କ ଦଳର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଘଟଣାରେ ଚୁପ ରହିଛନ୍ତି ବୋଲି ଅଭିଯୋଗ କରିଥିଲେ । ଆହୁରି ମଧ୍ୟ ଜଳସେଚନ, କୃଷି ବୀମା କୁ ନେଇ ସରକାର ପାତର ଅନ୍ତର କରୁଥିବା ଅଭିଯୋଗ କରିବା ସହ ଜଦି ସରକାର ଅନ୍ୟ ଅଂଚଳ ପରି ବଲାଙ୍ଗିରର ମଧ୍ୟ ସମାନ୍ତରାଳ ବିକାଶ ନକରି ଅଂଚଳ ପ୍ରତି କ୍ରମାଗତ ଅବହେଳା କରନ୍ତି ତେବେ ସରକାର ଏବଂ ତାଙ୍କ ଅଧିକାରୀମାନେ ଲୋକଙ୍କ ପ୍ରତକ୍ରିୟାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି କହିବା ସହ ଲୋକେ ଏକ ଭୟଙ୍କର ଆନ୍ଦୋଳନ କରି ତାଙ୍କର ହକ୍ ଛଡାଇ ଆଣିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ । ଏହି ସାଂବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର ଉପସ୍ଥିତ ଥିଲେ ।
