ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ
- କରୋନାର ଅନ୍ତ ଘଟିନାହିଁ, ସାବଧାନତା ଜରୁରୀ : ରାଷ୍ଟ୍ରପତି
ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସମ୍ବୋଧିତ କରିଛନ୍ତି। ଦେଶବାସୀଙ୍କୁ ଅଭିବାଦନ ଜଣାଇ ସେ କହିଛନ୍ତି ଯେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ। ଦେଶ ସ୍ୱାଧୀନତା ପାଇବା ପରେ ଅନେକ ବାଟ ଅତିକ୍ରମ କରି ସାରିଛି। ଦୀର୍ଘ ୭୫ ବର୍ଷ ମଧ୍ୟରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିଛି। ଏହାରି ଭିତରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ଆସିଛି। ଏବେ ବିକାଶର ପଥରେ ଚାଲିବା ବେଳେ ଆମକୁ ସେହି ପ୍ରତିବନ୍ଧକକୁ ମଧ୍ୟ ଦୂର କରିବାକୁ ହେବ ଯାହା ଦେଶର ବିକାଶରେ ବାଧା ସୃଷ୍ଟି କରୁଛି। ଆମ ସମାଜରେ ବିଭିନ୍ନ ପ୍ରକାର ସମସ୍ୟା ଓ ତିକ୍ତତା ରହିଛି। କିନ୍ତୁ ବିବିଧତା ମଧ୍ୟରେ ପ୍ରତ୍ୟେକଙ୍କ ଦୃଷ୍ଟିକୋଣକୁ ସମ୍ମାନ ଜଣାଇ ଆମକୁ ଆଗକୁ ବଢ଼ିବାକୁ ହେବ। କରୋନା କାଳରେ କମ ସମୟରେ ଟିକା ବାହାର କରିଥିବାରୁ ବୈଜ୍ଞାନିକଙ୍କ କାର୍ଯ୍ୟକୁ ପ୍ରଶଂସା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଦେଶରେ ବିଶ୍ବର ବଡ଼ ଟିକାକରଣ ଅଭିଯାନ ଚାଲିଛି। ଦ୍ବିତୀୟ ଲହରରେ ଡାକ୍ତର ଓ ନର୍ସଙ୍କ ଅବଦାନ ପ୍ରଶଂସନୀୟ। ଅନେକ କୋଭିଡ ଯୋଦ୍ଧା ପ୍ରାଣ ହରାଇଛନ୍ତି, ସେମାନଙ୍କୁ ପ୍ରଣାମ ଜଣାଉଛି। କରୋନାର ଅନ୍ତ ଘଟିନାହିଁ, ସାବଧାନତା ଜରୁରୀ। ତେଣୁ ସମସ୍ତ ଦେଶବାସୀ ଟିକା ନେବାଲାଗି ରାଷ୍ଟ୍ରପତି ଅନୁରୋଧ କରିଛନ୍ତି। ସେହିପରି ଜନକଲ୍ୟାଣ ଯୋଜନା ଉପରେ ସରକାର ଜୋର ଦେଉଛନ୍ତି। ଜମ୍ମୁକଶ୍ମିରରେ ନବଜାଗରଣ ଦେଖିବାକୁ ମିଳିଛି। ଲୋକତନ୍ତ୍ର ମାମଲାରେ ଭାରତ ସବୁଠାରୁ ଆଗରେ ରହିଛି। ଗାଁରେ ଦ୍ରୁତ ଗତିରେ ବିକାଶ ହେଉଛି। ଗାଁ ଓ ସହର ମଧ୍ୟରେ ଦୂରତା କ୍ରମଶଃ କମି କମି ଚାଲିଛି। ସଂସଦ ଆମ ପାଇଁ ଲୋକତନ୍ତ୍ରର ମନ୍ଦିର। ମାନବ ଜାତି ଆଗରେ ବଡ଼ ସମସ୍ୟା ମୁଣ୍ଡ ଟେକିଛି। ବିଶ୍ବରେ ଜଳବାୟୁ ପରିବର୍ତ୍ତନ ସମସ୍ୟ ଅତ୍ୟନ୍ତ ଗମ୍ଭୀର ହୋଇଛି। ସମସ୍ୟାରୁ ମୁକୁଳିବାକୁ ଆମକୁ ଆମ ଚାଲିଚଳଣୀରେ ତ୍ୟାଗ ଜରୁରୀ ବୋଲି ପ୍ରକାଶ କରିଛନ୍ତି।
ସ୍ବାଧୀନତା ଦିବସ ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ଗତବର୍ଷ ଭଳି ଏବର୍ଷ ମଧ୍ୟ ମହାମାରୀ ଯୋଗୁଁ ସ୍ୱାଧୀନତା ଦିବସ ପାଳନର ପରିସର ସୀମିତ ହୋଇଛି । ତଥାପି ଆମର ହୃଦୟ ଏହି ପବିତ୍ର ଦିବସ ପାଇଁ ସଦାସର୍ବଦା ଉତ୍ସାହରେ ଭରି ରହିଛି । ଏବେ ଦେଶରେ ମହାମାରୀର ପ୍ରକୋପ ହ୍ରାସ ପାଇଛି; ହେଲେ କରୋନା ଭୂତାଣୁ ଏଯାଏଁ ଯାଇନାହିଁ । ଏହାର ମହାମାରୀ ପ୍ରଭାବରୁ ଆମେ ଏଯାଏଁ ମୁକ୍ତି ପାଇନାହୁଁ । ଗତବର୍ଷ ସମସ୍ତଙ୍କ ସହଯୋଗ ଫଳରେ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ସଫଳ ହୋଇଥିଲୁ । ଆମ ବୈଜ୍ଞାନିକମାନେ ଖୁବ୍ କମ୍ ସମୟରେ ଟିକା ତିଆରି କରିବାରେ ସଫଳ ହୋଇଥିଲେ । ତେଣୁ ଚଳିତବର୍ଷର ପ୍ରାରମ୍ଭରେ ଆମେ ବିଶେଷ ଆଶାବାଦୀ ହୋଇ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ଆରମ୍ଭ କରିଥିଲୁ । ତଥାପି ନୂଆ ପ୍ରକାରର ଭୂତାଣୁଙ୍କ ଆବିର୍ଭାବ ଏବଂ ଅନ୍ୟ କେତେକ ଅନିଚ୍ଛାକୃତ କାରଣ ଯୋଗୁଁ ଭାରତ ଏକ ଭୟାନକ ଦ୍ୱିତୀୟ ସଂକ୍ରମଣର ସମ୍ମୁଖୀନ ହୋଇଥିଲା । ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଆମର କ୍ରୀଡାବିତ୍ମାନେ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ଏହି କ୍ରୀଡାର ୧୨୧ ବର୍ଷର ଇତିହାସରେ ଭାରତ ଏଥର ସର୍ବାଧିକ ପଦକ ଅର୍ଜନ କରିଛି । ଆମ ଝିଅମାନେ କ୍ରୀଡାଙ୍ଗନରେ ଅନେକ ବାଧା ଓ ପ୍ରତିକୂଳ ସ୍ଥିତିକୁ ଅତିକ୍ରମ କରି ବିଶ୍ୱସ୍ତରୀୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଖେଳକୁଦ ସହିତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଅଂଶଗ୍ରହଣ କରି ସଫଳତାର ନୂଆ ନୂଆ କାହାଣୀ ରଚନା କରୁଛନ୍ତି । ଉଚ୍ଚଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ପ୍ରତିରକ୍ଷାବାହିନୀ, ପରୀକ୍ଷାଗାରଠାରୁ ଖେଳପଡିଆ- ଆମ ଝିଅମାନେ ସବୁ କ୍ଷେତ୍ରରେ ତାଙ୍କର ଉପସ୍ଥିତି ଜାହିର କରି ସଫଳ ହେଉଛନ୍ତି । ଆମ କନ୍ୟାମାନଙ୍କର ଏହି ସଫଳତାରେ ମୁଁ ଭବିଷ୍ୟତର ବିକଶିତ ଭାରତର ଝଲକ ଦେଖିପାରୁଛି । ସବୁ ପିତାମାତା ଏଭଳି ସଫଳ ଝିଅମାନଙ୍କର ପରିବାରଠାରୁ ଶିକ୍ଷାଲାଭ କରି ସେମାନଙ୍କ କନ୍ୟାମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ସେମାନଙ୍କର ଅଭିବୃଦ୍ଧିର ମାର୍ଗ ନିର୍ଦ୍ଧାରଣ କରିବାକୁ ମୁଁ ଆହ୍ୱାନ ଜଣାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି ।
