ଗିରଫ ହେଲେ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର
ସୁନ୍ଦରଗଡ଼ : ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲ ଗିରଫ ହୋଇଛନ୍ତି । ୨ ଦିନ ଧରି ଭିଜିଲାନ୍ସ ଚଢ଼ାଉ ପରେ କୁଳମଣିଙ୍କୁ ଗିରଫ କରାଯାଇଛି । ଦୀର୍ଘ ଦୁଇଦିନର ଚଢ଼ାଉ ପରେ କୁଳମଣିଙ୍କ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ । କୁଳମଣିଙ୍କ ବାସଭବନ ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ।
ସୂଚନା ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ବୁଧବାର ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲେ। ଚଢ଼ାଉ ଆରମ୍ଭରୁ ଏତେ ବିପୁଳ ସମ୍ପତ୍ତି ଠାବ ହେବାରେ ଲାଗିଛି ଯେ ଲୋକଙ୍କର ଆଖି ଟେରା ହୋଇଯାଇଛି। ବାବୁଙ୍କ ନାମରେ ସୁନ୍ଦରଗଡ଼ ସହର ସମେତ ପାଖରେ ଥିବା କୋଇଲା ଖଣି ଅଞ୍ଚଳ ଓ ପୈତୃକ ଗାଁରେ ଥିବା ୨୧ଟି ମୂଲ୍ୟବାନ ପ୍ଲଟ୍ର ଦସ୍ତାବିଜ ଭିଜିଲାନ୍ସ ହାତରେ ଲାଗିଛି। ଏହା ସହ ୬ଟି ବହୁ ମହଲା ବିଶିଷ୍ଟ କୋଠା ଠାବ ହୋଇଛି, ଯାହା ଭିତରୁ ଆଜି ଭିତରେ ଗୋଟିଏର ମୂଲ୍ୟ ୧ କୋଟି, ଅନ୍ୟ ଗୋଟିଏର ମୂଲ୍ୟ ୪୬ ଲକ୍ଷ ବୋଲି ଆକଳନ କରାଯାଇଛି। ସୁନ୍ଦରଗଡ଼ ପରି ପଛୁଆ ଅଞ୍ଚଳରେ ଥିବା ଜଣେ ଅତିରିକ୍ତ ତହସିଲଦାରଙ୍କ ଏତେ ସଂଖ୍ୟକ ପ୍ଲଟ୍ ଓ କୋଠାକୁ ଦେଖି ଭିଜିଲାନ୍ସ ଟିମ୍ ମଧ୍ୟ ଚମକି ପଡ଼ିଛନ୍ତି। ୪ ଜଣ ଡିଏସ୍ପିଙ୍କ ନେତୃତ୍ବରେ ୪୫ ଜଣିଆ ଟିମ୍ ଟିମ୍ କୁଳମଣିଙ୍କ ପୈତୃକ ଗାଁ ଲେଫ୍ରିପଡ଼ା ବ୍ଲକ୍ ଡୁମାବାହାଲର ୪ଟି ସ୍ଥାନ ସମେତ ଲେଫ୍ରିପଡ଼ା ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଏକକାଳୀନ ଚଢଉ ଜାରି ରହିଛି। ଭିଜିଲାନ୍ସ ଟିମ୍ ଯେତିକି ଖୋଳତାଡ଼ କରୁଛି, ସମ୍ପତ୍ତିର ପରିମାଣ ସେତିକି ବଢ଼ିବାରେ ଲାଗିଛି। ସକାଳୁ ସନ୍ଧ୍ୟା ଯାଏଁ ସମ୍ପତ୍ତିର ହିସାବ କରି କରି ଟିମ୍ ହାଲିଆ ହୋଇପଡ଼ିଲେଣି। କିନ୍ତୁ ପୂରା ସମ୍ପତ୍ତି ପରିମାଣର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ଏ ଖବର ଲେଖା ହେବାବେଳକୁ ୫ କୋଟିରୁ ଅଧିକ ସଂପତ୍ତିର ହିସାବ ସରିଲାଣି। ଆସନ୍ତାକାଲି ଚଢ଼ାଉ ଜାରି ରହିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି। ଶ୍ରୀ ପଟେଲ ହେମଗିର ତହସିଲରେ ଅତିରିକ୍ତ ତହସିଲଦାର ଭାବେ ସେ ଯୋଗ ଦେବାପରେ କୋଇଲା ଖଣି ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ମଞ୍ଜୁର କରାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଥିଲା। ବାରମ୍ବାର ଅଭିଯୋଗ ହୋଇଥିଲେ ହେଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନଥିଲା। ଶେଷରେ, ଭିଜିଲାନ୍ସ ଚଢ଼ାଉ କରିବା ପରେ ଆୟ ବହିର୍ଭୂତ ସମ୍ପତ୍ତିର ଏକ ଲମ୍ବା ତାଲିକା ସାମ୍ନାକୁ ଆସିଥିବା କୁହାଯାଉଛି।
