ଅବକାରୀ ଚଢ଼ାଉ : ୪୩କେଜି ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଗିରଫ! ୨ଟି ବିଦେଶୀ କୁକୁର ଛାଡ଼ିଲା ଅଭିଯୁକ୍ତ, ୩ ପୋଲିସ କର୍ମଚାରୀ ଆହତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସି ଅନ୍ତର୍ଗତ ଘାଟଘରସାହି ଅଞ୍ଚଳରେ ଚଢ଼ାଉ ବେଳେ ପୋଲିସ ଉପରେ କୁକୁର ଛାଡ଼ିଦେଲା ନିଶା ମାଫିଆ । କୁକୁର ଗୋଡ଼େଇ କାମୁଡ଼ିବାରୁ ୩ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି । ସଂପୃକ୍ତ ଗଞ୍ଜେଇ ମାଫିଆଙ୍କ ଘରୁ ୪୩କେଜି ଗଞ୍ଜେଇ ଜବତ ହେବା ସହ ଅଭିଯୁକ୍ତ ଗିରଫ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨ଲକ୍ଷ ୧୫ହଜାର ହେବ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୩ଟା ସମୟରେ କଟକର ଇଆଇ ଏବଂ ଇବି ୟୁନିଟ୍ ୨ (କେନ୍ଦ୍ରାଞ୍ଚଳ ଅବକାରି ଗୁଇନ୍ଦା ବିଭାଗ) ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ବାଲେଶ୍ୱର ଅବକାରୀ ବିଭାଗ ଏବଂ ନୀଳଗିରି ଅବକାରୀ ବିଭାଗ ସହଯୋଗରେ ନୀଳଗିରି ଘାଟଘରସାହି ଅଞ୍ଚଳର ସମ୍ପୃକ୍ତ ଗଞ୍ଜେଇ ମାଫିଆ ନିରଞ୍ଜନ ବେହେରାଙ୍କ ଘରେ ଚଢ଼ାଉ କରିଥିଲେ । ବିଭାଗୀୟ ଅଧିକାରୀମାନେ ଚଢ଼ାଉ କରୁଥିବା ବେଳେ ହଠାତ୍ ନିରଞ୍ଜନ ବେହେରା ଘରେ ପାଳିଥିବା ୨ଗୋଟି ବିଦେଶୀ କୁକୁରକୁ ନିଜେ ଏହି ଚଢ଼ାଉରୁ ବଞ୍ôଚବା ପାଇଁ ଅବକାରୀ ବିଭାଗକୁ ଆକ୍ରମଣ କରିବା ପାଇଁ ଛାଡ଼ି ଦେଇଥିଲା । ଫଳରେ କୁକୁର ଆକ୍ରମଣରେ ବିଭାଗୀୟ ୩ଜଣ କର୍ମଚାରୀ ଆହତ ହୋଇଥିଲେ । ପରେ ଅବକାରୀ ବିଭାଗ ନୀଳଗିରି ଥାନାର ସହଯୋଗ ଲୋଡ଼ିଥିଲେ । ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ôଚ ଅବକାରୀ ବିଭାଗ ସହ ମିଳିତ ଚଢ଼ାଉ କରି ୩ବସ୍ତା ଗଞ୍ଜେଇ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ତଥା କୁଖ୍ୟାତ ଗଞ୍ଜେଇ ବେପାରୀ ନିରଞ୍ଜନ ବେହେରାଙ୍କୁ ଗିରଫ କରିଥିଲା ବେଳେ ପୁରୁଣା ବାଲେଶ୍ୱର ଅଞ୍ଚଳର ଜନୈକ ଯୁବକକୁ ସନ୍ଦେହରେ ଅଟକ ରଖିଛନ୍ତି । ଏ ନେଇ ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା (ନଂ.୩୮/୨୧) ରୁଜୁ ହୋଇଛି । ଏହି ଚଢ଼ାଉରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ବାଲେଶ୍ୱର ଅବକାରୀ ବିଭାଗ ଏବଂ ନୀଳଗିରି ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିଲେ । ବାଲେଶ୍ୱର ମୋବାଇଲ ଇନିସ୍ପେକ୍ଟର ଗାଲୁରମା ସୋରେନ୍, ନୀଳଗିରି ରେଞ୍ଜ ଅବକାରୀ ଇନିସ୍ପେକ୍ଟର ନାରାୟଣ ବେହେରା, ନୀଳଗିରି ଓଆଇସି. ଜୟନ୍ତୀ ଆଚାର୍ଯ୍ୟ, ଏଏସଆଇ ଅଞ୍ଜନ ଜେନା, ଦେବାଶିଷ ମଲିକ, ପିଙ୍କି ମାରାଣ୍ଡି, ବିଦ୍ୟାଧର ବିନ୍ଧାଣୀ, ଧୀରେନ୍ଦ୍ର ସିଂ, ବସନ୍ତ ମଲିକ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ । ଜୟନ୍ତୀ ଆଚାର୍ଯ୍ୟ, ସୁବ୍ରତ ଜେନା, ବସନ୍ତ ମଲିକ କୁକୁର କାମୁଡ଼ାରେ ଆହତ ହୋଇଥିବା ଜଣାପଡ଼ିଛି ।
