ଯୁବତୀଙ୍କୁ କାରରେ ଘୋଷାଡ଼ି ଘୋଷାଡ଼ି ହତ୍ୟା କଲେ ୫ ନିଶାଗ୍ରସ୍ତ ଯୁବକ
ନୂଆଦିଲ୍ଲୀ: ଦିଲ୍ଲୀର ଉପକଣ୍ଠ ଅଞ୍ଚଳରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ହତ୍ୟା କରାଯାଇଛି। ୫ ଜଣ ନିଶାଗ୍ରସ୍ତ ଯୁବକ ଜଣେ ଯୁବତୀଙ୍କୁ କାରରେ ଘୋଷାଡ଼ି ଘୋଷାଡ଼ି ହତ୍ୟା କରିଛନ୍ତି। ତେବେ ଉକ୍ତ ଯୁବତୀଙ୍କ ଏଭଳି ଅବସ୍ଥାରେ ହୋଇଛି ଯେ ବର୍ଣ୍ଣନା କରିବା ମଧ୍ୟ ଆମ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି। ଉକ୍ତ ଯୁବତୀଙ୍କୁ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ କାରରେ ଧରି ଘୋଷାଡ଼ି ନେବା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଦୀର୍ଘ ୧୦ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ହେବା ଫଳରେ ଉକ୍ତ ଯୁବତୀଙ୍କର ଶରୀରର ପ୍ରାୟ ସମସ୍ତ ହାଡ଼ ଭାଙ୍ଗି ଗୁଣ୍ଡ ହୋଇଯାଇଥିବା ଜଣାପଡ଼ିଛି। ଶୀତୁଆ ସନ୍ଧ୍ୟାରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ମୃତ୍ୟୁ ମୁଖରେ ପଡ଼ିଛନ୍ତି ଉକ୍ତ ଯୁବତୀ ଜଣକ।
ପୁରା ଦିଲ୍ଲୀ ଯେତେବେଳେ ନୂଆ ବର୍ଷକୁ ସ୍ୱାଗତ କରିବାରେ ବ୍ୟସ୍ତଥିଲା ସେହି ସମୟରେ ବିଚଳିତ କରି ପକାଉଥିବା ଏହି ଘଟଣାଟି ଘଟିଥିଲା। ଦିଲ୍ଲୀର ଇତିହାସରେ ଏହା ସବୁଠାରୁ ବଡ଼ ସଡ଼କ ଦୁର୍ଘଟଣା ବୋଲି କୁହାଯାଉଛି। ତେବେ ସେପଟେ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଯୁବତୀଙ୍କ ଶବକୁ ପୋଲିସ ଗିରଫ କରିବା ସହିତ ଶବବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛି। ଅଭିଯୁକ୍ତମାନଙ୍କ କହିବା ଅନୁଯାୟୀ ସେମାନେ ସମସ୍ତେ ନିଶାରେ ଚୁର ଥିଲେ। ଆଉ ଗାଡିରେ ଅତ୍ୟଧିକ ସାଉଣ୍ଡ ଦେଇ ଗୀତ ବଜାଉଥିଲେ। ଫଳରେ ସେମାନେ ଦୁର୍ଘଟଣା ସମ୍ପର୍କରେ ଜାଣିପାରିନଥିଲେ।ଯୁବତୀ ଜଣକ ନିଜ କାର୍ଯ୍ୟାଳୟରୁ କାମ ସାରି ଘରକୁ ସ୍କୁଟି ଯୋଗେ ଫେରୁଥିଲେ। ସେହି ସମୟରେ ସେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ସେପଟେ ଏହି ଦୁର୍ଘଟଣାକୁ ନେଇ ଏକାଧିକ ପ୍ରଶ୍ନ ସାମ୍ନାକୁ ଆସିଛି। ସେପଟେ ଯୁବତୀଙ୍କ ସହିତ ଅସଦାଚରଣ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରାଯାଉଛି।
