ବିଦ୍ୟୁତ ଖୁଣ୍ଟରୁ ପଡ଼ି ଯୁବକ ଗୁରୁତର
ଯାଜପୁର : ଦଶରଥପୁର ବିଦ୍ୟୁତ ଉପଖଣ୍ଡ ଅନ୍ତର୍ଗତ ବିରିପଟା ପଞ୍ଚାୟତ ଚାରିବାଟିଆ ଠାରେ ଏକ ୧୧ କେଭି ବିଦ୍ୟୁତ ତାର ମରାମତି ପାଇଁ ଖୁଣ୍ଟ ଉପରକୁ ଚଢ଼ିଥିବା ଠିକା କର୍ମଚାରୀ ତଥା ବିରିପଟା ପଞ୍ଚାୟତ ସାନକୁଆଁଲ ଗ୍ରାମର ବସନ୍ତ ଦାସଙ୍କ ପୁଅ ରାକେଶ ଦାସ (୨୭) ଖୁଣ୍ଟରୁ ଖସି ପଡ଼ି ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ବିଦ୍ୟୁତ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ସୂଚନା ମୁତାବକ ଚାରିବାଟିଆ ଗ୍ରାମରେ ୧୧ କେଭି ବିଦ୍ୟୁତ ମରାମତି କାର୍ଯ୍ୟ ପାଇଁ ମଧୁପୁର ଷ୍ଟ୍ରକ୍ଚର ନାରିଗାଁ ଫିଡ଼ର ଅଧିନରେ ନାରିଗାଁ ଠାରେ ଥିବା ଡିପି ସୁଇଚ୍ରୁ ବିଦ୍ୟୁତ କର୍ମଚାରୀ ସଟ୍ଡାଉନ୍ ନେଇଥିଲେ । ସଟ୍ଡାଉନ୍ ପରେ ୧୧ କେଭି ଖୁଣ୍ଟ ଉପରକୁ ବଡ଼କୁଆଁଲ ଗ୍ରାମର ଠିକା କର୍ମଚାରୀ ରାକେଶ ଚଢ଼ିବା ସହିତ ତାର ନିକଟରେ ପହଞ୍ôଚବା କ୍ଷଣି ବିଦ୍ୟୁତ ଆଘତରେ ଖୁଣ୍ଟରୁ ତଳକୁ ଖସି ପଡ଼ିଥିଲେ । ରାକେଶଙ୍କ ଶରୀର ଅର୍ଦ୍ଧାଧିକ ଜଳିଯାଇଥିବା ବେଳେ ତୁରନ୍ତ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ରାକେଶ ଏବେ କଟକରେ ଚିକିତ୍ସାଧିନ ଥିବାବେଳେ ବିଦ୍ୟୁତ ଷ୍ଟ୍ରକ୍ଚରରୁ ବିଦ୍ୟୁତ କଟା ଯାଇଥିବା ନିଶ୍ଚିତ ହେବା ପରେ ରାକେଶ ଖୁଣ୍ଟକୁ ଚଢ଼ିଥିବା ବେଳେ କରେଣ୍ଟ ଲାଗିବାକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ସ୍ଥାନୀୟ ଲୋକେ ପ୍ରଶ୍ନବାଚି ସୃଷ୍ଟି କରିଛନ୍ତି । ଏ ସମ୍ପର୍କରେ ଦଶରଥପୁର ଉପଖଣ୍ଡ ଅଧିକାରୀ ବ୍ରଜକିଶୋର ଦଳଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପ୍ରଥମେ ଆହତ କର୍ମଚାରୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ସେହିପରି ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇଛି । ସବୁ ଠିକ୍ ଥିବା ବେଳେ ବର୍ଷା ଯୋଗୁ ଆର୍ଥିଂ ପାଇଁ ଅଘଟଣ ଘଟିଥିବା କହିବା ସହିତ ବିଭାଗ ପକ୍ଷରୁ ଅତିରିକ୍ତ ଭାବେ ଅଭ୍ୟନ୍ତରିଣ ତଦନ୍ତ ଜାରି ରହିଛି ବୋଲି କହିଥିଲେ । ସେହିପରି ଯଦି କେହି ଦାୟିତ୍ୱରେ ଅବହେଳା କରିଥିବେ ତେବେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଧଳ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
