ବେକରେ ଶାଢ଼ୀ ବାନ୍ଧି ଯୁବକଙ୍କ ଆତ୍ମହତ୍ୟା
ସୋର : ସୋର ବ୍ଲକ ଜଡିଦା ପଞ୍ଚାୟତ ରୁଷୋ ଗ୍ରାମରେ ଜଣେ ଯୁବକ ଗତକାଲି ବିଳମ୍ବିତ ରାତିରେ ନିଜ ଶୋଇବା ଘରେ ଫ୍ୟାନରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହି ଗ୍ରାମର କୈଳାଶ ବାରିକଙ୍କ ପୁଅ ଭାଗିରଥି ବାରିକ (୩୧) ଗତକାଲି ରାତିରେ ତାଙ୍କ ପତ୍ନୀସହ ଝଗଡା କରିବା ସହ ତାଙ୍କୁ ମାଡ଼ ମାରିଥିଲେ । ଏଥିରେ ତାଙ୍କ ପତ୍ନୀ ଏବଂ ୨ ଝିଅ ଅନ୍ୟ ଏକ ଘରେ ଶୋଇଥିବା ବେଳେ ଭାଗିରଥି ତାଙ୍କ ଶୋଇବା ଘରେ ଶୋଇଥିଲେ। କିନ୍ତୁ ସକାଳେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଉଠିବାରୁ ପରିବାର ଲୋକେ କବାଟ ଭାଙ୍ଗି ଭିତରକୁ ପଶିଥିଲେ। କିନ୍ତୁ ଭାଗିରଥି ତାଙ୍କ ବେକରେ ଏକ ଶାଢ଼ୀ ବାନ୍ଧି ଫ୍ୟାନରେ ଝୁଲୁଥିବା ଦେଖି ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ସୋର ମେଡିକାଲକୁ ଆଣିବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ମେଡିକାଲରେ ପହଞ୍ଚି ୯/୨୩ ରେ ଏକ ମାମଲା ରୁଜ୍ଜୁକରି ଶବ ଜବତ କରି ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
