ଓୟୁଏଟି ଠାରେ “ସଂପ୍ରସାରଣ ବିଶେଷଜ୍ଞମାନଙ୍କର ଦକ୍ଷତା ବିକାଶ : ଉପାୟ ଏବଂ ବିଭିନ୍ନ ଦିଗ” ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଆଜି ଓଡ଼ିଶା ସଂପ୍ରାସାରଣ ଶିକ୍ଷା ସମିତି ଆନୁକୂଲ୍ୟରେ “ସଂପ୍ରସାରଣ ବିଶେଷଜ୍ଞ ମାନଙ୍କର ଦକ୍ଷତା ବିକାଶ : ଉପାୟ ଏବଂ ବିଭିନ୍ନ ଦିଗ” ସମ୍ପର୍କିତ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ସମିତିର ସଭାପତି ଡଃ ଚକ୍ରଧର ଶତପଥି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଇତ୍ୟବସରରେ ସେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ସଂପ୍ରସାରଣ ବିଜ୍ଞାନୀମାନଙ୍କର କାର୍ଯ୍ୟ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ବିଶେଷ ଆଲୋକପାତ କରିଥିଲେ । ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ଜ୍ଞାନକୌଶଳର ଉପଯୁକ୍ତ ସମୟରେ ସଠିକ୍ ଭାବେ ସଂପ୍ରସାରଣ ହେବା ଉଚିତ୍ ବୋଲି ସେ ମତ ପ୍ରକାଶ କରିଥିଲେ । ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଶନ୍ନଜିତ୍ ମିଶ୍ର ତାଙ୍କର ଉଦ୍ଘାଟନୀ ଅଭିଭାଷଣରେ ସାମ୍ପ୍ରତିକ ପରିସ୍ଥିତିରେ ପରିବର୍ତିତ କୃଷି ସଂପ୍ରସାରଣ ବ୍ୟବସ୍ଥା ଉପରେ ଆଲୋକପାତ କରି, ବୈଜ୍ଞାନିକ ଓ ଅଧିକାରୀମାନେ କୃଷି ସଂପ୍ରସାରଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ସଂପ୍ରସାରଣ ବିଜ୍ଞାନୀ ତଥା ପୂର୍ବତନ ସଂପ୍ରସାରଣ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ରାଉତ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଦିତ୍ୟ ପ୍ରସାଦ କାନୁନ୍ଗୋ, ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟର ସଂପ୍ରସାରଣ ବିଭାଗ ମୁଖ୍ୟ ଡଃ ପିତାମ୍ବର ସ୍ୱାଇଁ, କୃଷି ମହାବିଦ୍ୟାଳୟ ଅଧିନସ୍ଥ ସଂପ୍ରସାରଣ ବିଭାଗର ପ୍ରଫେସର ପ୍ରଦୀପ କୁମାର ବାନାର୍ଜୀ ଏବଂ ସୋଆ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଡଃ ଅଂଶୁମାନ ଜେନା ସଂପ୍ରସାରଣ ବିଜ୍ଞାନୀମାନଙ୍କର ଦକ୍ଷତା ବିକାଶର ଆବଶ୍ୟକତା ଏବଂ ବିଭିନ୍ନ ଦିଗ ସମ୍ପର୍କିତ ସନ୍ଦର୍ଭମାନ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ପ୍ରାରମ୍ଭରେ ସଂପ୍ରସାରଣ ବିଭାଗର ମୁଖ୍ୟ ଡଃ ବିଭୂତି ପ୍ରସାଦ ମହାପାତ୍ର ସମ୍ମିଳନୀର ଆଭିମୁଖ୍ୟ ଉପସ୍ଥାପନ କରିବା ସହିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ପରିଶେଷରେ ସଂପ୍ରସାରଣ ଯୁଗ୍ମ ନିର୍ଦ୍ଦେଶକ ଡଃ ମହାମାୟା ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ୫ଟି ବିଶ୍ୱବିଦ୍ୟାଳୟରୁ ୧୫୦ ଜଣ ଅଧ୍ୟାପକ, ଛାତ୍ରଛାତ୍ରୀ, କୃଷି ବୈଜ୍ଞାନିକମାନେ ଯୋଗଦାନ କରିଥିଲେ ।
