ସହର ମଧ୍ୟରେ ପଶିଲା ଦନ୍ତା ହାତୀ, ଲୋକେ ଆତଙ୍କିତ
ଖୋର୍ଦ୍ଧା : ଦିନ ଦ୍ୱିପହରରେ ସହର ଭିତରେ ପଶିଲା ଦନ୍ତା ହାତୀ । ହାତୀକୁ ନେଇ ସ୍ଥାନୀୟ ଲୋକମାନେ ଆତଙ୍କିତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ପୌରପରିଷଦ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ । ମଙ୍ଗଳବାର ଅପରାହ୍ନରେ ଏକ ଦନ୍ତା ହାତୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟ ବଡ଼ ଶଙ୍ଖ ପାଖରେ ରାସ୍ତା ପାର୍ ହୋଇ ହସ୍ପିଟାଲ ପାଖରେ ପହଂଚିଥିଲା । ପରେ ନିକଟରେ ଥିବା ଏକ କାଜୁ ଓ ପଟାସ ଜଙ୍ଗଲ ଭିତରକୁ ଚାଲିଯାଇଛି । ହାତୀଟି ହଠାତ୍ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିବାକୁ ନେଇ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି । ହାତୀଟି ଏବେ ରହିଥିବା ସ୍ଥାନ ନିକଟରେ ହସ୍ପିଟାଲ ଓ ଜନବସତି ରହିଥିବାରୁ ଜନ ସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
