ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ, ଗୋଟିଏ ପରିବାରର ୫ ମୃତ
ଢେଙ୍କାନାଳ: ଆଜି ଭୋର୍ରେ କାମାକ୍ଷା ନଗର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାମାକ୍ଷାନଗରର ପଥରଖମ୍ବ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସଡ଼କ ଦୁର୍ଘଟଣାରେ ଏହି ପରିବାରର ପାଞ୍ଚ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।
ସୂଚନାନୁସାରେ, କାମାକ୍ଷାନଗର ଥାନା ଅନ୍ତର୍ଗତ ବାଙ୍ଗୁରା ଗ୍ରାମର ପ୍ରହ୍ଲାଦ ସାମଲ ପରିବାର ଏକ ଯାତ୍ରୀବାହି ଅଟୋରେ ଯାଉଥିଲେ। ଏହି ସମୟରେ ଏକ କୋଇଲା ବୋଝେଇ ଟ୍ରକ ଉକ୍ତ ଅଟୋକୁ ଘୋଷାଡି ନେଇଥିଲା। ଘଟଣାସ୍ଥଳରେ ହିଁ ଅଟୋରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ କାମାକ୍ଷାନଗର ଥାନା ବାଉଁଶପାଳ ପଂଚାୟତ ବାଙ୍ଗୁରା ଗାଁର ପ୍ରହ୍ଲାଦ ସାମଲ (୫୨), ଅନନ୍ତ ସାମଲ (୨୨), ଆଦିକନ୍ଦ ସାମଲ (୪୮), ଅଂକୁର ସାମଲ (୪୨) ଓ ୧୩ ବର୍ଷର ନାବାଳକ ଦିବ୍ୟରଞ୍ଜନ ସାମଲ ବୋଲି ଚିହ୍ନଟ କରାଯାଇଛି।

ଭୋର ସମୟରେ ମହୁଲ ଟୋଲରୁ ତେଲ ପେଶାଇବା ପାଇଁ ସାମଲ ପରିବାର ଅଟୋରେ ମୁକ୍ତାପଶି ଗ୍ରାମରେ ଥିବା ତେଲ ମିଲକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ ଛାଡି ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଥିବା ଜଣାପଡିଛି। କ୍ଷତିପୂରଣ ଦାବି କରି ଗ୍ରାମବାସି ତରଫରୁ ରାସ୍ତା ଅବରୋଧ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଛି। ଉତ୍ତେଜନାକୁ ଆଖି ଆଗରେ ରଖି ବିପୁଳ ପୋଲିସ ମୁତୟନ କରାଯାଇଛି। ସ୍ଥାନୀୟ ପ୍ରଶାସନୀକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝୁସୁଧା କରିବାକୁ ଚେଷ୍ଟା କରିଛନ୍ତି।
୫୩ ନମ୍ବର ଜାତୀୟ ରାଜପଥର ଚାରି ଲେନ କାମ ଜାରି ରହିଛି। ଅନେକ ସ୍ଥାନରେ ଚାରି ଲେନ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ କିଛି କାମ ଏବେ ବି ବାକି ଅଛି, ଫଳରେ ଏହି ଭଳି ଦୁର୍ଘଟଣା ବାରମ୍ବାର ଘଟୁଛି। ରାସ୍ତା କାମ ଚାଲୁ ରହିଥିବା ବେଳେ ଡିଭାଇଡର ମଧ୍ୟ ରହୁନାହିଁ। ଯାହା ଫଳରେ ମାଲବାହି ଗାଡି କ୍ଷିପ୍ର ଗତିରେ ଗାଡିଚାଳନା କରୁଛନ୍ତି। ତେଣୁ ଖୁବଶୀଘ୍ର ରାସ୍ତା କାମ ସାରି ଦୁର୍ଘଟଣା ପ୍ରବଣ ଅଞ୍ଚଳ ଚିହ୍ନଟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
