ସିନ୍ଦୋଳ ପୁରୁଣା ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରବେଶ ପଥରେ ନିର୍ମାଣ ହେବ ତୋରଣ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧୀନ ନୂଆପାଟଣା ପୁରୁଣା ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରବେଶପଥ ପଣ୍ଡାପୋଖରୀ ଛକ ନିକଟରେ ଏକ ତୋରଣ ନିର୍ମାଣ ହେବ । ମଙ୍ଗଳବାର ସାଂସଦ ମଞ୍ଜୁଲତା ମଣ୍ଡଳ ଲକ୍ଷ୍ମୀନାରାୟଣଙ୍କୁ ଦର୍ଶନ କରିବା ପରେ ତୋରଣ ପାଇଁ କ୍ଷେତ୍ର ପରିଦର୍ଶନ କରିଥିଲେ । ସାଂସଦଙ୍କ ଆଞ୍ଚଳିକ ପାଣ୍ଠି ଅନୁଦାନରେ ଏହି ତୋରଣ ନିର୍ମାଣ ହେବ ବୋଲି ଜଣାପଡ଼ିଛି । ଏହି ମନ୍ଦିର ପ୍ରବେଶପଥରେ ଏହି ତୋରଣ ନିର୍ମାଣ ହେଲେ ମନ୍ଦିରର ଶୋଭା ବର୍ଦ୍ଧନ କରିବ । ଏହି ଲକ୍ଷ୍ମୀନାରାୟଣ ପୀଠ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସ୍ଥାପିତ ହୋଇ ପରବର୍ତ୍ତୀ ସମୟରେ ମନ୍ଦିର ନିର୍ମାଣ କରାଯାଇ ପ୍ରସ୍ତର ମୂର୍ତ୍ତି ସ୍ଥାପନ କରାଯାଇଛି । ମାତ୍ର ତୋରଣ ନିର୍ମାଣ ପାଇଁ ସ୍ଥାନୀୟ ଅଧିବାସୀଙ୍କର ସ୍ୱପ୍ନ ଥିଲା । ସେହିପରି ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ସିନ୍ଦୋଳ ଠାରେ ନୂଆ ଲକ୍ଷ୍ମୀନାରାୟଣଙ୍କୁ ସାଂସଦ ଶ୍ରୀମତୀ ମଣ୍ଡଳ ଦର୍ଶନ କରିଥିଲେ । ଏହି ମନ୍ଦିରର ବେଢ଼ା ଓ ତୋରଣ ନିର୍ମାଣ ହେବା ନେଇ କ୍ଷେତ୍ର ପରିଦର୍ଶନ କରିଥିଲେ । ଖୁବ୍ ଶୀଘ୍ର ମନ୍ଦିର ବେଢ଼ା ଓ ତୋରଣର ଶିଳାନ୍ୟାସ ଉତ୍ସବ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ଅଧ୍ୟକ୍ଷା ଅବନ୍ତୀଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ ବୋଲି ସାଂସଦ ଶ୍ରୀମତୀ ମଣ୍ଡଳ ପ୍ରକାଶ କରିଛନ୍ତି । ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ସହିତ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସରପଞ୍ଚ ସୁପ୍ରଭା ପାଣି, ପୂର୍ବତନ ସରପଞ୍ଚ ହରିହର ସେନାପତି, ବିଜେଡି ନେତା ଚିନ୍ତାମଣି ଦାସ, ଉତ୍ତମ ମହାପାତ୍ର, ପ୍ରଦୀପ ଦାସ, ଅନିରୁଦ୍ଧ ବାରିକ, ସୁମନ୍ତ ବାରିକ, ରାଜେଶ ଦାସ, ପୂର୍ଣ୍ଣଚନ୍ଦ୍ର ନାୟକ, ଭାସ୍କର ଚନ୍ଦ୍ର ଦାସ, ଲକ୍ଷ୍ମୀଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
