ନିର୍ମାଣ ହୋଇପାରୁନି ନୂଆସାହି ସରକାରୀ ଆୟୁର୍ବେଦିକ ଡାକ୍ତରଖାନା ଘର ପୁରୁଣା ବାଲବାଡ଼ି ଘରେ ଚାଲିଛି ଚିକିତ୍ସା ସେବା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କମାରିଆ ଗ୍ରାମର ବାଲବାଡ଼ି ଘରେ ଚାଲିଥିବା ନୁଆସାହି ସରକାରୀ ଆୟୁର୍ବେଦିକ୍ ଡାକ୍ତରଖାନାର ନୂତନ ଗୃହ ଦୀର୍ଘବର୍ଷ ହେଲା ନିର୍ମାଣ ହୋଇ ପାରୁନାହିଁ । ଏହି ଡାକ୍ତରଖାନାଟି ନୂଆସାହି ଗ୍ରାମରେ ପ୍ରଥମେ ସ୍ଥାପିତ ହୋଇଥିଲା । ପରେ ନୂଆସାହି ନାମରେ କୌଣସି ରାଜସ୍ୱ ଗ୍ରାମ ନଥିବାରୁ ଏହି ଡାକ୍ତରଖାନାକୁ କମାରିଆ ଗ୍ରାମର ବାଲବାଡ଼ି ଘରେ ସ୍ଥାପନ କରାଯାଇ ରୋଗୀ ସେବା କରାଯାଉଛି । ଏହି ବାଡ଼ି ଘର ଏବେ ଭାଙ୍ଗିରୁଜୁ ଗଲାଣି । ଡାକ୍ତରଖାନାର ସ୍ଥାନ ପରିବର୍ତ୍ତନ ହୋଇଥିବାରୁ ସରକାରୀ ଡାକ୍ତରଖାନା ଗୃହ ନିର୍ମାଣ ହୋଇ ପାରୁନାହିଁ । ଯେଉଁଥିପାଇଁ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାରେ ବ୍ୟାହତ ହେଉଛି । ଏହି ସରକାରୀ ଆୟୁର୍ବେଦିକ ଡାକ୍ତରଖାନା ୧୯୯୭ ମସିହାରେ ସିନ୍ଦୋଳ ପଞ୍ଚାୟତ ନୂଆସାହିରେ ପ୍ରତିଷ୍ଠିତ ହୋଇଥିଲା । ଘର ବା ଜାଗା ନଥିବାରୁ ସ୍କୁଲ ଘରେ ଚାଲିଥିଲା । ଡାକ୍ତର ବା ଅନ୍ୟ କର୍ମଚାରୀ ରହିବା ପାଇଁ କୌଣସି ସୁବିଧା ନଥିଲା । ବାରମ୍ବାର ଚେଷ୍ଟା ସତ୍ତ୍ୱେ ମଧ୍ୟ ଜାଗା ନ ମିଳିବାରୁ ୮ ବର୍ଷ ପରେ ଏହାକୁ ତତ୍କାଳୀନ ସିନ୍ଦୋଳ ପଞ୍ଚାୟତ କମାରିଆକୁ ଅଣାଯାଇ ବାଲବାଡ଼ି ଘରେ ଆରମ୍ଭ କରାଯାଇଥିଲା । ଏହି ଅଞ୍ଚଳରେ ହସପିଟାଲ ପ୍ରତିଷ୍ଠା କରାଯିବା ଫଳରେ ବହୁ ଅଞ୍ଚଳର ଲୋକେ ଏହା ଦ୍ୱାରା ଉପକୃତ ହୋଇଥିଲେ । ଏଥିପାଇଁ କମାରିଆ ରାଜସ୍ୱ ଗ୍ରାମରେ ୧୮ ଡିସିମିଲ ଜାଗା ମଧ୍ୟ ଡାକ୍ତରଖାନା ନାମରେ କରାଯାଇଛି । ସମସ୍ୟା ଉପଜିଲା ଯେତେବେଳେ ହସପିଟାଲ ନାମରେ ଘର ତିଆରି ପାଇଁ ୨୧.୩.୧୩ ମସିହାରେ ୧୫ ଲକ୍ଷ ଟଙ୍କା ଆସିଲା । ଅର୍ଥ ମଞ୍ଜୁର ଚିଠିରେ ନୂଆସାହି ଲେଖା ଥିବାରୁ ଅଧିକାରୀମାନେ ନୂଆସାହିରେ ହିଁ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି କହିବାରୁ ଅର୍ଥ ବିନିଯୋଗ ହୋଇପାରୁନାହିଁ । ଦୁଇଥର ଅର୍ଥ ଆସି ଫେରିଗଲାଣି । କିଛି ଲାଭ ହେଉନାହିଁ । ତତ୍କାଳୀନ ମନ୍ତ୍ରୀ ତଥା ଡାକ୍ତରଖାନା ରହିଥିବା ବିଧାନସଭା କ୍ଷେତ୍ର ବାସୁଦେବପୁରର ବିଧାୟକ ବିଜୟଶ୍ରୀ ରାଉତରାୟ ୨୦୧୩ ମସିହା ଜୁନ ୨୮ ତାରିଖରେ ‘ଆୟୁଷ’ର ନିର୍ଦେଶଙ୍କୁ ପତ୍ର ଲେଖି ନୁଆସାହି ପରି ଭଦ୍ରକରେ କୌଣସି ରାଜସ୍ୱ ଗ୍ରାମ ନାହିଁ ଯେଉଁଠି ଆୟୁର୍ବେଦିକ ଡାକ୍ତରଖାନା ଅଛି । ଏହା କମାରିଆ ରାଜସ୍ୱ ଗ୍ରାମରେ ଅଛି ଓ ସେଠାରେ ଡାକ୍ତରଖାନା ପାଇଁ ଜାଗା ମଧ୍ୟ ରହିଛି । ସେହି ଦୃଷ୍ଟିରୁ କମାରିଆରେ ଡାକ୍ତରଖାନା ଗୃହ ନିର୍ମାଣ କରିବାକୁ ଉଲ୍ଲେଖ କରିଥିଲେ । ସୂଚନା ଯୋଗ୍ୟ, କମାରିଆ ସଂପ୍ରତି ନବଗଠିତ ମଙ୍ଗଳପୁର ପଞ୍ଚାୟତରେ ରହିଛି । ୧୦ ବର୍ଷ ବିତିଗଲାଣି । ହେଲେ ଅର୍ଥର ବିନିଯୋଗ ହୋଇପାରୁନାହିଁ । ଅର୍ଥ ଫେରିଯାଉଛି । ତିହିଡ଼ିବାସୀଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଡାକ୍ତରଖାନା ଗୃହ କମାରିଆରେ ନିର୍ମାଣ କରାଯାଉ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
