ବାଲେଶ୍ୱର : ଅର୍ଦ୍ଧଗଳିତ ଉଲଗ୍ନ ମୃତଦେହ ଠାବ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଦିନ ଦ୍ୱିପ୍ରହରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍, ଛିନ୍ତାଇ, ରାହାଜାନୀ ସହ ହତ୍ୟା କରିବାକୁ ପଛାଉ ନାହାନ୍ତି ଦୁର୍ବୃତ୍ତ । ଆଇନ୍ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଯୋଗୁଁ ବିଶେଷ କରି ହତ୍ୟା ଜନିତ ଘଟଣା ବୃଦ୍ଧି ପାଉଥିବାର ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଜଣଙ୍କ ଘର ବାଡ଼ିରୁ ଅର୍ଦ୍ଧଗଳିତ ଉଲଗ୍ନ ମୃତଦେହ ଠାବ ହୋଇଛି । ମୃତକ ଜଣଙ୍କର ପରିଚୟ ମିଳିନଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଯେ, ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ଦର୍ଜିପୋଖରୀ ଅଞ୍ଚଳର ଜଣଙ୍କ ବାଡ଼ି ପଛରୁ ଏକ ମୃତଦେହ ଠାବ ହୋଇଛି । କ୍ଷତବିକ୍ଷତ ମୃତଦେହଟି ପଚି ଯାଇଥିବାରୁ ପରିଚୟ ଜଣାପଡ଼ି ନାହିଁ । କେହି ଦୁର୍ବୃତ୍ତ ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ବାଡ଼ିରୁ ପଚା ଗନ୍ଧ ଆସିବାରୁ ମୃତଦେହ ସମ୍ପର୍କରେ ଜଣାପଡ଼ିଥିଲା । ଘଟଣାସ୍ଥଳରେ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ôଚ ତଦନ୍ତ ଜାରି ରଖିଛି । ସୂଚନା ଯେ, ଜିଲାରେ ଆଇନ୍ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ବିଭିନ୍ନ ସଙ୍ଗଠନ ତଥା ରାଜନୈତିକ ଦଳ ମାନଙ୍କ ପକ୍ଷରୁ ଆସନ୍ତା ୧୬ ତାରିଖ ବନ୍ଦ ଡାକରା ଦିଆଯାଇଛି ।
