ବାଲେଶ୍ୱରରେ ଇମାମୀ-କିସ୍ ଆବାସିକ ବିଦ୍ୟାଳୟ ଉଦ୍ଘାଟିତ
ମାଗଣାରେ ପାଠ ପଢ଼ିବେ ରାଜ୍ୟର୧୨୦୦ ଗରିବ ପିଲା
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଆରମଳା ଠାରେ ନିର୍ମିତ କିସ୍ର ନୂତନ ଶାଖା ଇମାମି-କିସ୍ ଆବାସିକ ବିଦ୍ୟାଳୟକୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ଏମ୍ପି ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କିସ୍ ପ୍ରତିଷ୍ଠାତା ହେବା ଦିନ ଠାରୁ ଦୀର୍ଘ ୩୦ବର୍ଷ ଧରି ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ସଶକ୍ତିକରଣ କରିଆସୁଛି । କିସ୍ରୁ ୩୦ହଜାରରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଇମାମି-କିସ୍ ଆବାସିକ ବିଦ୍ୟାଳୟ ପାଇଁ ଜମି କ୍ରୟ ଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ସବୁଜ ବଳୟ ସୃଷ୍ଟି, ପାଚେରୀ ନିର୍ମାଣ, ମେକାନାଇଜ୍ଡ ରୋଷଶାଳା, ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଆସବାବପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସମେତ ୧ଲକ୍ଷ ୨୦ହଜାର ବର୍ଗଫୁଟ୍ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣରେ ମୋଟ୍ ୫୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରୁ ଇମାମି ଗ୍ରୁପ୍ ୧୪କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ବାକି ୩୬କୋଟି ଟଙ୍କା କିଟ୍ ତରଫରୁ ଖର୍ଚ୍ଚ କରାଯାଇଛି । ଏହା ବାଲେଶ୍ୱରବାସୀଙ୍କ ସମ୍ପତ୍ତି ହୋଇ ରହିବ ବୋଲି ବୋଲି ସୂଚନା ଦେଇଥିଲେ ।


ସୂଚନା ଯେ, ଇମାମି-କିସ୍ ଆବାସିକ ବିଦ୍ୟାଳୟରେ ସିବିଏସ୍ଇ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ୧୨ଶହ କେବଳ ଗରିବ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ । ପାଠ ପଢ଼ା ବ୍ୟତୀତ ଏଠାରେ ଛାତ୍ରୀଛାତ୍ରଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷ କରି ଉନ୍ନତ ମାନର କ୍ରୀଡ଼ା ତାଲିମ ପ୍ରଦାନ କରାଯିବ । ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରୀଛାତ୍ର ଭୁବନେଶ୍ୱର ସ୍ଥିତ କିସ୍ କିମ୍ବା କିଟ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ । ଭୁବନେଶ୍ୱର କିସ୍ ଭଳି ଏଠାରେ ସମ୍ପୂର୍ଣ୍ଣ ଆବାସିକ ଓ ବିନାଦେୟରେ ଗରିବ ପିଲାମାନେ ପାଠ ପଢ଼ିପାରିବେ । ସମ୍ପୂର୍ଣ୍ଣ ସବୁଜ, ଇକୋ-ଫ୍ରେଣ୍ଡଲି ଓ ଟେକ୍ନୋଲୋଜି ଉପଯୋଗରେ ଏହି କ୍ୟାମ୍ପସ ପରିଚାଳିତ ହେବ । କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଇମାମି ଗ୍ରୁପ୍ର ପ୍ରତିଷ୍ଠାତା ତଥା ଯୁଗ୍ମ ଅଧ୍ୟକ୍ଷ ଆର୍ଏସ୍ ଅଗ୍ରୱାଲ ଏବଂ ଇମାମି ଗ୍ରୁପ୍ର ସହ-ପ୍ରତିଷ୍ଠାତା ତଥା ଯୁଗ୍ମ ଅଧ୍ୟକ୍ଷ ଆର୍ଏସ୍ ଗୋଏଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।
