ମା’ ଭୁଧାରଚଣ୍ଡୀଙ୍କ ପୀଠରେ ନିଆଁପାଟ; ନିଆଁରେ ଚାଲିଲେ ୩୦ରୁ ଉର୍ଦ୍ଧ୍ୱ ଭକ୍ତା
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରୁ ୫ କିମି ଦୂର ସଜନାଗଡ଼ ଠାରେ ଶହ ଶହ ବର୍ଷ ପୂର୍ବେ ପ୍ରତିଷ୍ଠିତ ଦେବୀ ମା’ ଭୁଧାରଚଣ୍ଡୀଙ୍କ ପୀଠ ସମ୍ମୁଖରେ ରଜ ପର୍ବ ଉପଲକ୍ଷେ ମଙ୍ଗଳବାର ନିଆଁପାଟ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୩୦ରୁ ଉର୍ଦ୍ଧ୍ୱ ଭକ୍ତା ମା’ଙ୍କ ନାମ ସ୍ମରଣି ନିଆଁରେ ଚାଲିଥିଲେ । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ଲୋକଙ୍କ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା ।
ରଜ ସଂକ୍ରାନ୍ତି ଉପଲକ୍ଷେ ପ୍ରଥମ ଦିନ ମା’ଙ୍କ ପୀଠରେ ନିଆଁପାଟ ଓ ପରଦିନ ମଧ୍ୟରାତ୍ରିରେ ଉଡ଼ାପର୍ବ ପାଳିତ ହେଇଥାଏ । ଶହ ଶହ ଭକ୍ତଙ୍କର ଉପସ୍ଥିତିରେ ଏହି ପର୍ବ ପାଳନ କରାଯାଉଥିବା ବେଳେ ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ଗତ ୯ତାରିଖରୁ ଅର୍ଦ୍ଧନାଗେଶ୍ୱର ମୂର୍ତ୍ତିକୁ ପୂଜା କରାଯାଇ ତାର ପରଦିନ ଠାରୁ ଗଡ଼ବାସୁଳି ଦାସି, ପାଟ ଭକ୍ତା, ଦେଶ ଭକ୍ତା ସଜନାଗଡ଼ ମନ୍ଦିରର ପାର୍ଶ୍ୱବର୍ତ୍ତୀ ଗ୍ରାମମାନଙ୍କୁ ଯାଇ ନିଆଁପାଟ ଓ ଉଡ଼ାପର୍ବ ପାଇଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ଗତ ସୋମବାର ମଧ୍ୟ ରାତ୍ରିରେ ଭକ୍ତମାନେ ସଜନାଗଡ଼ ଚଣ୍ଡୀ ପୋଖରୀକୁ ଯାଇ ପୂଜାର୍ଚ୍ଚନା କରିବା ସହ ଅର୍ଦ୍ଧନାଗେଶ୍ୱର ମୂର୍ତ୍ତି ଠାରେ ନିଶାଘଟ ବିଧିଶେଷ କରିଥିଲେ । ମଙ୍ଗଳବାର ପୂର୍ବାହ୍ନ ୧୦ଟା ସମୟରେ ଭକ୍ତାମାନେ ଚଣ୍ଡୀ ପୋଖରୀରେ ଗାଧୋଇ ମା’ଙ୍କ ଦର୍ଶନ ସାରିବା ପରେ ଆରମ୍ଭ ହୋଇଥିଲା ନିଆଁପାଟ । ମା’ ଭୁଧାରଚଣ୍ଡୀଙ୍କ ସାମ୍ନା ପଡ଼ିଆରେ ଦେଢ଼ଫୁଟ ଓସାର ଓ ୮ଫୁଟ୍ ଲମ୍ବର ଏକ ଗର୍ତ୍ତ ଖୋଳାଯାଇ କୋଇଲାରେ ନିଆଁ ଲଗାଯାଇଥିଲା । ଏହି ନିଆଁ ପାଟରେ ୩୦ରୁ ଉର୍ଦ୍ଧ୍ୱ ଭକ୍ତାମାନେ ମା’ଙ୍କ ନାମ ଧରି ଅଗ୍ନି ଉପରେ ଚାଲିଥିଲେ । ଏଥିରେ ସହୋଯୋଗ କରିଥିଲେ ମନ୍ଦିରର ମୁଖ୍ୟ ପୂଜାରୀ ବିଜୟ ପଣ୍ଡା, ମା’ଙ୍କ ସର୍ଦ୍ଦାର ଚକ୍ରଧର ଦାସବାବୁ ଓ ଭକ୍ତା ମାନେ । ଏହି ନିଆଁପାଟ ପର୍ବ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଲୋକ ଏକତ୍ରିତ ହେଇଥିଲେ । ସେହିପରି ବୁଧବାର ମଧ୍ୟରାତିରେ ଅନୁଷ୍ଠିତ ହେବ ଉଡ଼ା ପର୍ବ । ଏହି ଉଡ଼ାପର୍ବ ପାଇଁ ନୀଳଗିରି ତଥା ପାଖ ମୟୂରଭଞ୍ଜ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହୋଇଥାଏ ।
