ବାଲେଶ୍ୱର ଚିଡ଼ିଆପୋଲ ଓ ଫକୀର ମୋହନ ଗୋଲେଇରେ ଲାଗିଲା ସିସିଟିଭି କ୍ୟାମେରା
ବାଲେଶ୍ୱର : ବାଲେଶ୍ୱର ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ ସହଯୋଗ’ ଅଭିଯାନରେ ଟ୍ରାଫିକ ବ୍ୟବସ୍ଥା ସହ ଅପରାଧ ଓ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ଛକମାନଙ୍କରେ ଲଗାଯାଉଛି ସିସିଟିଭି କ୍ୟାମେରା । ଏହି କ୍ରମରେ ଶନିବାର ସହରର ଚିଡ଼ିଆପୋଲ ଓ ଫକୀର ମୋହନ ଗୋଲେଇ ଅପରପାଶ୍ୱର୍ରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଉଦଘାଟନ କରାଯାଇଛି ।
ଜିଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଏହାକୁ ଉଦ୍ଘାଟନ କରି ‘ପ୍ରୋଜେକ୍ଟ ସହଯୋଗ’ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କ୍ରାଉଡ୍ ଫଣ୍ଡିଂ ଜରିଆରେ ବାଲେଶ୍ୱର ସହରର ସାଧାରଣ ଜନତାଙ୍କ ଦ୍ୱାରା ମିଳିତ ଭାବେ କିଛି କିଛି ଛକମାନଙ୍କରେ ସିସିଟିଭି ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି । ସମ୍ପ୍ରତି ବାଲେଶ୍ୱର ସହର ଓ ଆଖପାଖ ୧୬ଟି ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ ଅନ୍ୟ ୧୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି । ସମସ୍ତ କ୍ୟାମେରା ବାଲେଶ୍ୱର ଟ୍ରାଫିକ ଥାନାର କେନ୍ଦ୍ରୀୟ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ସହିତ ସଂଯୁକ୍ତ କରାଯିବ । ଏଥିପାଇଁ ବାଲେଶ୍ୱରର ଅଗ୍ରଣୀ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କାରୀ ସଂସ୍ଥା ଓଡି ନେଟ ଇନ୍ଫକମ୍ର ଫାଇବର ନେଟୱାର୍କ ବ୍ୟବହାର କରାଯାଉଛି । ଚିଡିଆପୋଲ ଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରା ପାଇଁ ବାଲେଶ୍ୱରର ଫେସନ ଜୋନ ଓ ଫକୀର ମୋହନ ଗୋଲେଇ ଅପରପାଶ୍ୱର୍ ପାଇଁ ଓଡିୱାନ ଓ ମନ୍ତ୍ରା ବିୟୁଟି ସ୍ପା ସହଯୋଗ ପ୍ରଦାନ କରିଥିବାରୁ ଅନୁଷ୍ଠାନଗୁଡ଼ିକର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଆଗାମୀ ଦିନରେ ମଧ୍ୟ ବାଲେଶ୍ୱର ପୋଲିସକୁ ସହଯୋଗ ପ୍ରଦାନ ଜାରି ରହିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । କାର୍ଯ୍ୟକ୍ରମରେ ଆଡ଼ିସ୍ନାଲ ଏସ୍ପି ପ୍ରଦୀପ କୁମାର ଦଳେଇ, ଡିଏସ୍ପି ଆଲୋକ ରଞ୍ଜନ ରାୟ, ସଦର ଏସ୍ଡ଼ିପିଓ ଡ. ଶଶାଙ୍କ ଶେଖର ବେହୁରା, ବସ୍ତା ଏସ୍ଡିପିଓ ମାନସ ଦେଓ, ସହଦେବଖୁଣ୍ଟା ଥାନା ଆଇଆଇସି ପ୍ରେମପ୍ରଜ୍ଞା ମହାନ୍ତି ପ୍ରମୁଖଙ୍କ ସହ ମନ୍ତ୍ରା ବିୟୁଟି ସ୍ପାର ମୁଖ୍ୟ ବନମାଳା ଦାସ ମହାପାତ୍ର, ସୁମିତ୍ରା ମାହାଲ, ଓଡିୱାନର ଦେବସ୍ନାନ ଦାସମହାପାତ୍ର, ଦେବଜ୍ୟୋତି ଦାସମହାପାତ୍ର, ଶର୍ମିଷ୍ଠା ଜେନା, ପ୍ରିୟଙ୍କା ଜେନା, ଫେସନ ଜୋନ୍ର ମୁଖ୍ୟ ରାକେଶ ଅଗ୍ରୱାଲ, ରାମ ବିଳାସ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ସୁନୀଲ ମୋଦି, କୋଏଲ ଅଗ୍ରୱାଲ, ନାରାୟଣ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
