ମଣିପୁରରେ ବୋମା ବିସ୍ଫୋରଣ, କେହି ମୃତାହତ ହୋଇନାହାନ୍ତି
ଇମ୍ଫାଲ : ମଣିପୁରରେ ଗତ ୧୩ ନଭେମ୍ବରକୁ ୪୬ତମ ଆସାମ ରାଇଫଲ୍ସର ବାହନ ଗୁଡିକ ଉପରେ ଉଗ୍ରବାଦିମାନେ ଆକ୍ରମଣ ଘଟଣାରେ ସପ୍ତାହେ ବିତି ନଥିବା ବେଳେ ପୁଣିଥରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ବୋମା ବିସ୍ଫୋରଣ କରି ଲୋକଙ୍କୁ ଦୋହଲାଇ ଦେଇଛନ୍ତି । ତେବେ ଗୁରୁବାର ଦିନ ହୋଇଥିବା ବୋମା ବିସ୍ଫୋରଣ ରେ କେହି ମୃତାହତ ହେବାର ଖବର ନାହିଁ । ରାଜ୍ୟ ପୋଲିସ୍ ମୁଖ୍ୟାଳୟ ସୂତ୍ର ଅନୁଯାୟୀ ଗୁରୁବାର ସକାଳ ଚାରିଟା ପାଖାପାଖି ପଶ୍ଚିମ ଇମ୍ଫାଲ ଜିଲ୍ଲାର କଇରେଙ୍ଗେଇ ଅଂଚଳରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଅଂଚଳରେ ଏକ ବ୍ୟକ୍ତି ମୋହମ୍ମଦ ତୋଲନେ ଦୋକାନ ସାମ୍ନାରେ ଫାଟିଥିଲା । ସୂଚନା ଅନୁଯାୟୀ ସକାଳ ସମୟରେ ଯେତେବେଳେ ବମ୍ ଫାଟିଥିଲା ସେତେବେଳେ ଲୋକଙ୍କ ଉପସ୍ଥିତି ନଥିଲା, ଏଥିପାଇଁ କୌଣସି ମୃତାହତ ହୋଇନାହିଁ ।
ସୂଚନା ଅନୁଯାୟୀ ରାଜ୍ୟ ପୋଲିସ୍ ଏବଂ ଅର୍ଦ୍ଧସୈନିକ ବଳର ଜବାନ ଦ୍ୱାରା ଆଖପାଖ ଅଂଚଳରେ ତଲାସୀ ଅଭିଯାନ ତୁରନ୍ତ ଆରମ୍ଭ ହୋଇଥିଲା । ତେବେ ବୋମା ବିସ୍ଫୋରଣ ପାଇଁ ଏବେ ପର୍ଯ୍ୟନ୍ତ କୌଣସି ସଂଗଠନ ଦାୟୀ ଥିବା ସୂଚନା ମିଳିନାହିଁ ।
