ଦିବ୍ୟାଙ୍ଗ ଯୁବକଙ୍କ ଗିରଫ ପ୍ରତିବାଦରେ ଗଣ ଧାରଣା ଓ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ଯିବା ପାଇଁ ଉଦ୍ୟମ କରିଥିବା ଭିନ୍ନକ୍ଷମଙ୍କ ପ୍ରତି ପୋଲିସର ନିର୍ଯାତନା ଓ ଆକ୍ରମଣକୁ ତୀବ୍ର ନିନ୍ଦା କରିଛି ଓଡ଼ିଶା ଦିବ୍ୟାଙ୍ଗ ସୁରକ୍ଷା ସଂଘ । ପୋଲିସର ଅମାନବୀୟ କାର୍ଯ୍ୟଧାରା ବିରୋଧରେ ସଂଘ ପକ୍ଷରୁ ପ୍ରତ୍ୟେକ ଜିଲା ଶାଖା ପକ୍ଷରୁ ବିକ୍ଷୋଭ, ଧାରଣା ଓ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ ବାଲେଶ୍ୱରରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କେଶବ ରାଉଳ, ସମ୍ପାଦିକା ଝୁନୁଲତା ଦାସଙ୍କ ନେତୃତ୍ୱରେ ଦିବ୍ୟାଙ୍ଗ ସଭ୍ୟାସଭ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୁଧବାର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।
ସଂଘର କର୍ମକର୍ତ୍ତାଙ୍କ ଅଭିଯୋଗ ଅନୁସାରେ ସୁରକ୍ଷା ପରିବର୍ତ୍ତେ ଦିବ୍ୟାଙ୍ଗ ମୃତ୍ୟୁଞ୍ଜୟକୁ ପ୍ରଶାସନ ପକ୍ଷରୁ ବାରମ୍ବାର ଉପେକ୍ଷା କରାଯିବାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ଗତ ୨୨ ତାରିଖରେ ତାଙ୍କ ଗାଡ଼ି ଆଗକୁ ଯିବା ପାଇଁ ଚେଷ୍ଟା କରିଥିଲେ । ଏକ ନିବେଦନ ପତ୍ର ଦେଇ ଓଡ଼ିଶାର ୨୪ ବର୍ଷର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ନ୍ୟାୟ ପାଇଁ ଗୁହାରୀ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ମାତ୍ର ପୋଲିସ ଅଧିକାରୀ ଓ କର୍ମଚାରୀ ତାଙ୍କୁ ଅଟକାଇବା ସହ ମାଡ଼ ମାରିବା ଓ ବିକଳାଙ୍ଗ ତଥା ଅନ୍ୟାନ୍ୟ ଅଶ୍ଳୀଳ ଭାଷା କହି ଗାଳିଗୁଲଜ କରିବା କେଉଁ ସ୍ୱଚ୍ଛ ସରକାରର ନିଦର୍ଶନ ବୋଲି କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ଅମାନବିକତାର ସୀମା ଟପିଯାଇ ଜଣେ ଦିବ୍ୟାଙ୍ଗଙ୍କୁ ସର୍ବ ସମ୍ମୁଖରେ ନିର୍ଯାନତା ଦେବା ସାଙ୍ଗକୁ ଅଶ୍ଳୀଳ ଭାଷାରେ ଗାଳି ଦେଇ ମାଡ଼ ମାରିଥିବା ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏନେଇ ଉଚିତ୍ ପଦକ୍ଷେପ ନ ନେଲେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କର୍ମକର୍ତ୍ତାମାନେ ଦାବି କରିଛନ୍ତି ।
