କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଆନ୍ଦୋଳନ ପାଇଁ ଆହ୍ୱାନ
ବାଲେଶ୍ୱର : ବାଲେଶ୍ୱର ସହର ନୂଆବଜାର ସ୍ଥିତ ଶ୍ରମିକ ଭବନରେ ରେଳବାଇ ଶ୍ରମିକ ମାନଙ୍କର ଲାଲ୍ ପତାକା ଉତ୍ତୋଳନ ପରେ ‘ରେଲୱେ ହକର୍ସ ୟୁନିୟନ’ର ୫ମ ଜୋନାଲ ସମ୍ମିଳନୀ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଛି । ଏଥିରେ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରର ହକର୍ସ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
ଶିଶିର ହୁଇ ସମ୍ମିଳନୀରେ ସଭାପତିତ୍ୱ କରିଥିଲେ । ପୂର୍ବତନ ବିଧାୟକ ତଥା ସିଆଇଟିୟୁର ନେତା ପ୍ରଦୀପ୍ତ ପଣ୍ଡା ସମ୍ମିଳନୀକୁ ଉଦ୍ଘାଟନ କରି କେବଳ ଦେଶରେ ଶ୍ରମିକମାନଙ୍କ ଉପରେ ନୁହେଁ ସାଧାରଣ ଲୋକଙ୍କ ଉପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଶ୍ରମିକ ମାରଣ ନୀତି ବିରୋଧରେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ । ରେଲୱେ ହକର୍ସ ୟୁନିୟନର ଦୀର୍ଘ ଦିନ ଧରି ପ୍ରତ୍ୟେକ ହକରମାନଙ୍କ ପାଇଁ ଲାଇସେନ୍ସ ବା ପରିଚୟ ପତ୍ର ଦେବା, ସରକାରୀ ସହାୟତା ଦେବା, ବ୍ୟାଙ୍କ ଜରିଆରେ ଋଣ ଦେବା, ଜିଆର୍ପି ଏବଂ ଆରପିଏଫ୍ମାନଙ୍କ ଆକ୍ରମଣ ବନ୍ଦ କରିବା, ରେଲୱେ ଘରୋଇକରଣ ନୀତି ବାତିଲ୍ କରିବା ପ୍ରଭୃତି ଦାବି ମାନ ସମ୍ମିଳନୀରେ ଉଠାଇଥିଲେ । ଏଥିପାଇଁ ଇଷ୍ଟକୋଷ୍ଟ ଏବଂ ଦକ୍ଷିଣ ପୂର୍ବ ରେଳ ଡ଼ିଭିଜନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସମ୍ମିଳନୀକୁ ସ୍ୱାଗତ ଜଣାଇ ସଙ୍ଗଠନର ମୁଖ୍ୟ ସଙ୍ଗଠକ ରାଧାରମଣ ଷଡ଼ଙ୍ଗୀ, ସିଆଇଟିୟୁ ରାଜ୍ୟ ନେତୃତ୍ୱ ଦିବ୍ୟସିଂହ ନାୟକ, ଓଡ଼ିଶା ରେଲୱେ ୱାରକର୍ସ ୟୁନିୟନର ରାଜ୍ୟ ନେତୃତ୍ୱ ନିରଞ୍ଜନ ବେହେରା, ପଶ୍ଚିମବଙ୍ଗର ସିଆଇଟିୟୁର ନେତା ଦିଲ୍ଲିପ ଦେ, ପାଚିକା ସଙ୍ଗଠନର ରାଜ୍ୟ ନେତୃତ୍ୱ ତଥା ସିଆଇଟିୟୁର ନେତ୍ରୀ ଈଷାଣୀ ଷଡ଼ଙ୍ଗୀ, ବିଜୟ ପାତ୍ର, ରାଜକିଶୋର ଲେଙ୍କା, ପ୍ରେମ ରଞ୍ଜନ ପାତ୍ର ବକ୍ତବ୍ୟ ରଖିଥିଲେ । ସାଥୀ ପ୍ରଦୀପ ମହାନ୍ତି ସଂଗଠନର ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ସର୍ବସମ୍ମତି କ୍ରମେ କମିଟିର ସଭାପତି ଭାବେ ଶିଶିର ହୁଇ, ସାଧାରଣ ସମ୍ପାଦକ ଭାବେ ମୋହନ ବାରିକ, କୋଷାଧ୍ୟକ୍ଷ ଭାବେ ରମେଶ ଦାସ ନିର୍ବାଚିତ ହେବା ସହିତ ୧୫ଜଣିଆ କମିଟି ନିର୍ବାଚିତ ହୋଇଥିଲେ ।
