ଭିଜିଲାନ୍ସ ଜାଲରେ ଚାରି ସରକାରୀ ବାବୁ, ତିନି ଗଲେ ଜେଲ୍
କଟକ : ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀମାନେ ଆଜି ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗ ଓ ଲାଂଚ ନେବା ଅଭିଯୋଗରେ ୩ ଜଣ ବରିଷ୍ଠ ସରକାରୀ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣଙ୍କୁ ଅଟକ ରଖାଯାଇଛି । ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା କେ ଗାଁ ଫରେଷ୍ଟ ରେଂଜ୍ ର ଜଙ୍ଗଲ ଅଧିକାରୀ କେଶବ ମାଝିଙ୍କ ଘର ଉପରେ ଚଢଉ କରାଯାଇଥିଲା । ୫ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟରଙ୍କୁ ନେଇ ଶ୍ରୀ ମାଝିଙ୍କ କଳାହାଣ୍ଡି କେଶିଙ୍ଗା ଟାଉନରେ ଥିବା ୩ ମହଲା ବିଶିଷ୍ଟ ବାସଗୃହ, କଳାହାଣ୍ଡିର ଅଫିସ, ସରକାରୀ ବାସଗୃହ ଓ ତାଙ୍କ ନାମରେ ଥିବା ଭଡା ଘର ଉପରେ ଚଢଉ କରାଯାଇଥିଲା । ଚଢଉ ପରେ ତାଙ୍କର ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଂପତି ରହିଥିବା ଜଣାପଡିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଗତକାଲି ଭିଜିଲାନ୍ସ ଅଦାଲତରେ ଅଟକ ଥିବା ଇଡକଲର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତିକୁ ତଲାସ କରି ବିଭାଗୀୟ ଅଧିକାରୀମାନେ ୧ କୋଟି ୬ ଲକ୍ଷ ଟଙ୍କାର ନଗଦ ଅର୍ଥ ଜବତ କରିବା ସହିତ ଓଡିଶା ଇତିହାସର ବିରଳ ୧ କେଜି ୮୩ ଗ୍ରାମ୍ ସୁନା, ୬ କେଜି ୭୫୦ ଗ୍ରାମ୍ ରୁପା, ୪ କୋଟି ୧୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଭୁବନେଶ୍ୱରରେ ଥିବା ୨ଟି ଦୁଇ ମହଲା କୋଠା, ୧୩ଟି ପ୍ଲଟ୍ ଠାବ କରିଥିଲେ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହିଭଳି ରାଜ୍ୟ କ୍ଷୁଦ୍ର ଜଳସଂପଦ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦୁର୍ନୀତି ସଂପର୍କରେ ପର୍ଦ୍ଦାଫାସ କରିଛି ରାଜ୍ୟ ଭିଜିଲାନ୍ସ ବିଭାଗ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଶ୍ରୀ ରାଉଳ ତାଙ୍କ ଚାକିରିକାଳ ଭିତରେ ସର୍ବୋଚ୍ଚ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ତାଙ୍କର ଗଞ୍ଜାମର ଭଂଜନଗର ଘରେ ରଖିଥିବା ବେଳେ ତାହା ଠାବ କରାଯାଇଥିଲା । ସେହିଭଳି ମାଲକାନଗିରି ଆରଡବ୍ଲ୍ୟୁ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘର ତଲାସ ପରେ ତାଙ୍କ ଘରୁ ୧ କୋଟି ୪୦ ଲକ୍ଷ ୧୮ ହଜାର ଟଙ୍କା ମିଳିବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
