ଜବରଦଖଲରେ ନଳକୂଅ, ତହସିଲଦାରଙ୍କ ଠାରେ ଅଭିଯୋଗ
ନୀଳଗିରି : ନୀଳଗିରି ସଦର ଆର୍ଆଇ ଅଧୀନ ବାଉଁଶବଣିଆ ପଞ୍ଚାୟତ ଢୋଲପୁର ଗ୍ରାମରେ ଥିବା ଏକ ନଳକୂଅ ଜବରଦଖଲରେ । ଫଳରେ ଉକ୍ତ ଅଞ୍ଚଳରେ ଅଧିବାସୀମାନେ ପାନୀୟଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୂଚନା ଯେ, ଢୋଲପୁର ରାଜସ୍ୱ ଗ୍ରାମର ଆଦିବାସୀସାହିରେ ଗତ ୮ ।୧୦ ବର୍ଷ ପୂର୍ବେ ବିଧାୟକ ପାଣ୍ଠିରୁ ଏକ ନଳକୂଅ ଖନନ କରାଯାଇଥିଲା । ଏଥିରୁ ଉକ୍ତ ଅଞ୍ଚଳର ଲୋକେ ପାନୀୟ ଜଳ ପାଇପାରୁଥିଲେ । ମାତ୍ର ଗତ ୧୬ ତାରିଖରେ ଉକ୍ତ ଗ୍ରାମର ଫକିର ସିଂ, ମହେଶ୍ୱର ସିଂ ଏବଂ ଫକିରଙ୍କ ପୁଅ ଅଭିମନ୍ୟୁ ସିଂ ଜୋର ଜବରଦସ୍ତ ଉକ୍ତ ନଳକୂଅ ଚାରିପଟେ ବାଡ଼ ବସାଇ ଅବରୋଧ କରିଛନ୍ତି । ଫଳରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ବହୁ ଆଦିବାସୀ ଲୋକ ପାନୀୟଜଳ ପାଇବାରୁ ବଞ୍ôଚତ ହୋଇଛନ୍ତି । ଏନେଇ ନୀଳଗିରି ବିଧାୟକ, ଉପ-ଜିଲାପାଳ, ଏବଂ ଆଇଆଇସିଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଅବଗତ କରିଥିଲେ । ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାଧ୍ୟ ହୋଇ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକଙ୍କ ଠାରେ ଅଭିଯୋଗ କରି ତୁରନ୍ତ ସରକାରୀ ଅମିନ ପଠାଇ ଉକ୍ତ ଜାଗାକୁ ଚିହ୍ନଟ କରି ଜବରଦଖଲରେ ଥିବା ନଳକୂଅକୁ ସ୍ଥାନୀୟ ଲୋକଙ୍କ ବ୍ୟବହାର କରିବା ପାଇଁ ୱାର୍ଡ଼ସଭ୍ୟ ନାରାୟଣ ଟୁଡୁ, ସୁମତୀ ମଣି ସିଂ, ଉମାକାନ୍ତ ସିଂ, ଲିଲି ସିଂ, ରମାକାନ୍ତ ସିଂ, ସୁମତୀ ସିଂ, ଦମୟନ୍ତୀ ସିଂ ପ୍ରମୁଖ ଦାବି କରିଛନ୍ତି ।
