ସ୍ତ୍ରୀକୁ ହତ୍ୟା କରି ପୋତିଦେଇଥିବା ନେଇ ଅଭିଯୋଗ କବର ଖୋଳି ତଦନ୍ତ ଆରମ୍ଭ କରିଛି ପୋଲିସ
ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଭାଗଲପୁର ମୁଣ୍ଡାସାହିରେ ଘଟିଛି ଚାଂଚଲ୍ୟକର ଘଟଣା । ସ୍ତ୍ରୀ କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଯାଇ ସ୍ତ୍ରୀ ର ମୃତଦେହ କୁ ସ୍ୱାମୀ ଘର ବାଡ଼ି ରେ ପୋତିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ହେବାପରେ କବର ଖୋଳି ମୃତଦେହକୁ ଉଦ୍ଧାର କରିଛି ଯୋଡ଼ା ପୋଲିସ୍ । ମୃତକ ହେଉଛନ୍ତି ଭାଗଲପୁର ମୁଣ୍ଡା ସାହିର ରାମ ସିଂ ମୁଣ୍ଡାଙ୍କ ଦ୍ୱିତୀୟ ପତ୍ନୀ ବୁଧୁନି ମୁଣ୍ଡା । ବୁଧୁନିକୁ ହତ୍ୟା କରାଯାଇଥିବା ନେଇ ବାପ ଘର ଲୋକେ ଅଭିଯୋଗ କରିବା ପରେ ଆଜି ସକାଳୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବରକୁ ଖୋଳାଯାଇ ବୁଧୁନିଙ୍କ ମୃତ ଦେହ ବାହାରକୁ ଅଣାଯାଇଛି । ଇନକ୍ୱେଷ୍ଟ ପରେ ମୃତ ଦେହକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଛି ପୋଲିସ୍ । ସୂଚନା ଅନୁଯାୟୀ, ୪ ବର୍ଷ ତଳେ ରାମ ସିଂ ମୁଣ୍ଡାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଝାରଖଣ୍ଡ, ଜଗନ୍ନାଥପୁର ଅଂଚଳର ଲଖନ୍ ହିସା ଙ୍କ ଝିଅ ବୁଧୁନିକୁ ବିବାହ କରିଥିଲେ । ତେବେ ସ୍ୱାମୀ ରାମ ସିଂ ମୁଣ୍ଡା ବିଭିନ୍ନ ସମୟରେ ସ୍ତ୍ରୀ ବୁଧୁନି କୁ ମାଡ଼ପିଟ କରୁଥିଲେ ବୋଲି ମୃତକର ପାରିବାର ଲୋକେ କହିଛନ୍ତି । ତେବେ ଗତ ଗୁରୁବାର, ଘର ଠାରୁ ଅଳ୍ପ ଦୂରରେ ଥିବା ଏକ ପଣସ ଗଛରେ ରସି ଲଗାଇ ବୁଧୁନି ଆତ୍ମହତ୍ୟା କରିଥିବା ନେଇ ରାମ ସିଂ ଫୋନ ଯୋଗେ ୱାର୍ଡ ମେମ୍ବରଙ୍କୁ ଜଣାଇବା ପରେ ମୃତଦେହକୁ କବର ଦେଇଥିଲେ । ଏନେଇ ସେ ପୋଲିସକୁ କିମ୍ବା ବୁଧୁନିଙ୍କ ବାପାଘର ଲୋକଙ୍କୁ ଜଣାଇ ନଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ବାପ ଘର ଲୋକେ ଜାଣିବାକୁ ପାଇବା ପରେ ବୁଧୁନିଙ୍କ ମୃତ୍ୟୁକୁ ନେଇ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଗତକାଲି ବୁଧୁନିଙ୍କ କକା ସୁରେଶ ହୀସା ଯୋଡ଼ା ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ପୋଲିସ୍ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀ ରାମ ସିଂ ମୁଣ୍ଡାକୁ ଅଟକ ରଖି ପଚରା ଉଚୁରା ଚଳାଇଛି । ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ କହିଛି ।
