ଗୋନାସିକା କେନ୍ଦୁଝର ମହୋତ୍ସବକୁ ଉଦଘାଟନ କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ
କେନ୍ଦୁଝର : କେନ୍ଦୁଝର କାଳିିପଡ଼ିଆ ଠାରେ ଗୋନାସିକା କେନ୍ଦୁଝର ମହୋତ୍ସବକୁ ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଶୁଭ ଉଦଘାଟନ କରିଛନ୍ତି । ୧୮ ତାରିଖ ଠାରୁ ଆରମ୍ଭ ହେଉଥିବା ଏହି ମହୋତ୍ସବ ଆସନ୍ତା ୨୨ ତାରିଖ ପର୍ଯ୍ଯନ୍ତ ଚାଲିବାକୁ ଥିବାବେଳେ ଜାତୀୟ ସ୍ତରର ପଲ୍ଲୀଶ୍ରୀ ମେଳା ୨୫ ତାରିଖ ପର୍ଯ୍ଯନ୍ତ ଚାଲିବ । ଗୋନାସିକା କେନ୍ଦୁଝର ମହୋତ୍ସବକୁ ବ୍ୟାପକ କରିବା ଲକ୍ଷ୍ୟରେ ଆଜି ଗୋବାସିକା ବ୍ରହ୍ମେଶ୍ୱର ମନ୍ଦିରରୁ ଏକ ମଶାଲ ବାହାରି ପ୍ରଭୁ ବଳଦେବଜୀଉ ମନ୍ଦିର ଦେଇ କେନ୍ଦୁଝରରେ ପହଂଚିଥିଲା । ଅନ୍ୟଏକ ମଶାଲ ଆନନ୍ଦପୁର ଜଗନ୍ନାଥ ମନ୍ଦିରରୁ ବାହାରି ଘଟଗାଁ ତାରିଣୀ ମନ୍ଦିର ଦେଇ କେନ୍ଦୁଝର ପହଂଚିଥିଲା । ଅନ୍ୟପକ୍ଷରେ ଚମ୍ପୁଆ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ଆଉ ଏକ ମଶାଲ ବାହାରି କେନ୍ଦୁଝର ଆସିଥିଲା । ଶେଷରେ ତିନୋଟି ଯାକ ମଶାଲକୁ ଜିଲ୍ଲାପାଳ କାର୍ଯ୍ୟଳୟ ପରିସରରେ ସ୍ୱାଗତ ପରେ ଏକ ଶୋଭାଯାତ୍ରାରେ ଉତ୍ସବ ସ୍ଥଳକୁ ଆଣାଯାଇଥିଲା । ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ, ସରକାରଙ୍କ ପଂଚାୟତରାଜ ପାନୀୟ ଜଳ ବିଭାଗର ଓରମାସ ସହଯୋଗରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ସଦର ବିଧାୟକ ମୋହନ ମାଝୀ, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ନାଏକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବାବେଳେ କେନ୍ଦୁଝର ଜିଲ୍ଲାପାଳ ସଭାରେ ଅଧ୍ୟକ୍ଷତା କରିଥିଲେ । ସୁଚନା ଲୋକ ସମ୍ପର୍କ ବିଭାଗ ଅଧିକାରୀ ସଂଜୀବ ବାରିକ ସଭା ସଂଯୋଜନା କରିଥିଲେ । ମହୋତ୍ସବରେ ମୋଟ ୨୦୫ଟି ଷ୍ଟଲ ସହିତ ଖାଦ୍ୟମେଳା, ପୁସ୍ତକ ମେଳା ଆୟୋଜିତ ହୋଇଛି । ରାଜ୍ୟର ୨୬ଟି ଜିଲ୍ଲାର କଳା, ହସ୍ତଶିଳ୍ପ, ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶିତ ହେବା ସହିତ ବିକ୍ରୟ ବ୍ୟବସ୍ଥା କରାଯାଇଛି । ସରକାରଙ୍କ ବିଭିନ୍ନ ବିଭାଗ ସେମାନଙ୍କର କାର୍ଯ୍ଯକ୍ରମ ସମ୍ପର୍କରେ ପ୍ରଦର୍ଶିତ କରିଛନ୍ତି । ଆଜି ବଲିଉଡ ସିଙ୍ଗର ରୁତୁରାଜ ମହାନ୍ତି ଓ ତାଙ୍କ ଟିମ ଦ୍ୱାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ହୋଇଥିଲା । ଆସନ୍ତା କାଲିଠାରୁ ଜିଲ୍ଲା ସ୍ତ୍ରରୀୟ, ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ।
