କଟକରେ ବିଶ୍ୱକପ୍ ହକି ଉଦ୍ଘାଟନୀ ପ୍ରସ୍ତୁତି ବିଭିନ୍ନ ବିଭାଗର ସହାୟତା ଲୋଡିଲା ସିଏମସି ଖାଦ୍ୟ ସୁରକ୍ଷା, ଶୁଦ୍ଧ ପାନୀୟ ଜଳ ଉପରେ ଗୁରୁତ୍ୱ ଖାଦ୍ୟର ମାନ ପରୀକ୍ଷା ନିମନ୍ତେ ମୁତୟନ ହେବ ଏମ୍ଏଫଟିଏଲ
କଟକ : କଟକ ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକି-୨୦୨୩ ଉଦ୍ଘାଟନୀ ଉତ୍ସବ ପାଳନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିଲା ବେଳେ ସହରରେ ଶୁଦ୍ଧ ପାନୀୟ ଜଳ ଯୋଗାଣ, ସଦ୍ୟ ଖାଦ୍ୟପଦାର୍ଥ ଉପଲବ୍ଧ ସହ ସେସବୁର ଦର ଯେପରି ବୃଦ୍ଧି ନ ଘଟେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ ଏବଂ ନିୟମିତ ବ୍ୟବଧାନରେ ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ନିରୀକ୍ଷଣ କରାଯାଇ ଖାଦ୍ୟ ପଦାର୍ଥର ମାନ ପରୀକ୍ଷା କରାଯିବ ବୋଲି କଟକ ମହାନଗର ନିଗମ(ସିଏମସି) ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି । ଆଜି ଅପରାହ୍ନରେ ଏନେଇ ବିଜୁ ଭବନସ୍ଥିତ ସିଏମସି ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଏଥିରେ ପୈାରୋହିତ୍ୟ କରି ଉତ୍ସବ ପାଳନର ତିନି ଦିନ ପୂର୍ବରୁ ବାରବାଟୀ ଷ୍ଟାଡିୟମ ନିକଟ ଓ ଭୁବନେଶ୍ୱରରୁ ବାରବାଟୀ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ମାନ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ବ୍ୟତୀତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ସିଏମସି ପକ୍ଷରୁ ଚିଠି ଦିଆଯାଇ ଏଥିରେ ସହଯୋଗ କରିବାକୁ ଜଣାଇଦିଆଯାଇଛି ବୋଲି ବୈଠକରେ ଆଲୋଚନା ହୋଇଥିଲା । ଉତ୍ସବ ପାଳନ ସମୟରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ମୂଲ୍ୟ ଯେପରି ବୃଦ୍ଧି ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କୁହାଯାଇଛି । ସେହିପରି ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୱାଟକୋର ଅଧିକାରୀଙ୍କୁ ଏହାର ତଦାରଖ କରିବାକୁ ପରାମର୍ଶ ଦିଆଯାଇଛି । ଓଜନ ଓ ମାପ ବିଭାଗର ଅଧିକାରୀ ମଧ୍ୟ ତନଖି କାର୍ଯ୍ୟ କରିବା ସକାଶେ ପଦକ୍ଷେପ ନେବେ । ଉତ୍ସବ ଦିନ ବାରବାଟୀ ନିକଟରେ ଥିବା ବିଭିନ୍ନ ଷ୍ଟଲର ଖାଦ୍ୟ ଯାଂଚ ପାଇଁ ଆଦେଶ ଦିଆଯାଇଥିବା ସହ ତୁରନ୍ତ ସେସବୁର ମାନ ପରୀକ୍ଷା ସକାଶେ ଏକ ‘ମୋବାଇଲ ଫୁଡ୍ ଟେଷ୍ଟିଂ ଲାବୋରେଟୋରି’(ଏମଏଫଟିଏଲ) ମୁତୟନ କରିବାକୁ ଭୁବନେଶ୍ୱରସ୍ଥିତ କମିଶନର ଫୁଡ୍ ସେଫ୍ଟିଙ୍କୁ ମଧ୍ୟ ଚିଠି ଲେଖାଯାଇଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଭୁବନେଶ୍ୱରରୁ ବାରବାଟୀ ପର୍ଯ୍ୟନ୍ତ ରାସ୍ତା ଓ ଷ୍ଟାଡିୟମ ନିକଟ ଷ୍ଟ୍ରିଟ୍ ଭେଣ୍ଡର ୭୨ ଘଣ୍ଟା ପୂର୍ବରୁ ହଟିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ସାଧାରଣରେ ସଚେତନତା ସୃଷ୍ଟି ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯିବ । ସହରରେ ଥିବା ବିଭିନ୍ନ ହୋଟେଲଗୁଡିକରେ ଉତ୍ସବର ୨ ଦିନ ପୂର୍ବରୁ ବ୍ୟାପକ ତନଖି କରାଯିବା ସହ ସହରର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ପିଇବା ବୋତଲ ପାଣି କମ୍ପାନୀ ଉପରେ ସିଏମସି ପକ୍ଷରୁ କଡା ନଜର ରଖାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଅନୁଷ୍ଠିତ ବୈଠକରେ କମିଶନର ଶ୍ରୀ କଲ୍ୟାଣଙ୍କ ସହ ସ୍ୱାସ୍ଥ୍ୟ ଅଧିକାରୀ ଡା. ମହାପାତ୍ର, ଫୁଡ ସେଫ୍ଟି ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର, ସମସ୍ତ ସାନିଟାରୀ ଇନ୍ସପେକ୍ଟର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ ।
