ଫେବୃଆରୀ ୧୨ରୁ ସ୍ରଷ୍ଟାର ରାଜ୍ୟସ୍ତରୀୟ ନାଟକୋତ୍ସବ
ବାଲେଶ୍ୱର : ବାଲେଶ୍ୱର ସୁନହଟ ସ୍ଥିତ ସ୍ରଷ୍ଟା ନାଟ୍ୟାଳୟ ପରିସରରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ସ୍ରଷ୍ଟାର ରାଜ୍ୟସ୍ତରୀୟ ନାଟକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ବାଲେଶ୍ୱରର ସର୍ବପୁରାତନ ନାଟ୍ୟ ସଂସ୍ଥା ସ୍ରଷ୍ଟା ତାର ସମ୍ପାଦକ ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ନାଟ୍ୟ ଜୀବନର ଅର୍ଦ୍ଧଶତାବ୍ଦୀ ପାଳନ ଅବସରରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଆସନ୍ତା ୨୦୨୩ ଫେବୃଆରୀ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ ନାଟକୋତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଆୟୋଜନ ହେବାର ଅନୁଷ୍ଠାନର ସଭାପତି ସଭାପତି ଆଲୋକ କୁମାର ସାହୁ ସୂଚନା ଦେଇଛନ୍ତି । ସେହିପରି ଏହି ଉତ୍ସବରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ଅନୁଷ୍ଠାନମାନ ଯୋଗଦେଇ ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ସୁନ୍ଦର ସୁନ୍ଦର ନାଟକ ମାନ ମଞ୍ଚସ୍ଥ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ଏଥିସହିତ ସ୍ରଷ୍ଟାର ନିଜସ୍ୱ ନାଟକ ମଧ୍ୟ ମଞ୍ଚ ହେବ । ପ୍ରତିଦିନ ଉକ୍ତ ନାଟକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହି ଉତ୍ସବରେ ପ୍ରତି ନିର୍ଦ୍ଦେଶକ ତଥା ନାଟ୍ୟ ବ୍ୟକ୍ତିତ୍ୱଙ୍କୁ ପ୍ରତ୍ୟହ ସନ୍ଧ୍ୟାରେ ସମ୍ମାନିତ କରାଯିବାର ବ୍ୟବସ୍ଥା କରାଯାଇଥିବାର ସମ୍ପାଦକ ହେମେନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି । ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ଉପ-ସଭାପତି ଗୌରୀଶଙ୍କର ଶାହାଣୀଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
