ସାପ ଖେଳକୁ ବିରୋଧ, ଗୋଷ୍ଠୀ ସଂଘର୍ଷରେ ୫ ଆହତ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକରେ ସାପ ଖେଳକୁ ବିରୋଧ । ସରକାରୀ ଜାଗାରେ ସାପୁଆ କେଳାକୁ ଗାଳିଗୁଲଜ ପରେ ଉଗ୍ର ରୂପ ନେଲା ଗୋଷ୍ଠୀ ସଂଘର୍ଷ । ଫଳରେ ୫ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛି ।
ସୂଚନା ଯେ, ଗାନ୍ଧୀ ଛକ ସ୍ଥିତ ସରକାରୀ ଜାଗାରେ ଶନିବାର ଜଣେ ସାପୁଆ କେଳା ପେଡ଼ି ସବୁକୁ ମେଲାଇ ସାପ ଖେଳ ପ୍ରଦର୍ଶନ କରୁଥିଲେ । ସ୍ଥାନୀୟ ଯୁବକ ସେକ୍ ଜମସୁର ଏହାକୁ ବିରୋଧ କରି ସାପୁଆ କେଳାକୁ ଗାଳିଗୁଲଜ କରିଥିଲେ । ସାପ ଖେଳ ଦେଖୁଥିବା ଲୋକେ ଜମସୁରକୁ ବିରୋଧ କରିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଠେଙ୍ଗାରେ ପିଟାମରା ହେବା ସହ ପଥର ମରାମରି ହୋଇଥିଲେ । ଫଳରେ ଉଭୟ ପକ୍ଷରୁ ୫ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନେ ହେଲେ ସେକ ମନିରୁଦ୍ଦିନ, ସେକ କାଲା, ସେକ ସକିରୁଦ୍ଦିନ, ସେକ ନସିରୁଦ୍ଦିନ ଓ ସେକ ଜମସୁର । ଖବରପାଇ ବସ୍ତା ଥାନା ଆଇଆଇସି ବାରିଣୀ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତିକୁ ଆୟତ୍ତ କରିଥିଲେ । ଆହତଙ୍କୁ ପ୍ରଥମେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
