ଆଶାକର୍ମୀଙ୍କ ବିକ୍ଷୋଭ ଶୋଭାଯାତ୍ରା ଦାବୀପୁରଣ ନହେବା ଯାଏ ଆନ୍ଦୋଳନ ଚାଲିବ
ବାରିପଦା : ଭାରତୀୟ ମଜଦୁର ସଙ୍ଘ ସହିତ ସଂଷ୍ଳିଷ୍ଟ ଓଡିଶା ରାଜ୍ୟ ଆଶା କର୍ମୀ ସଙ୍ଘ ତରଫରୁ ବିଭିନ୍ନ ଦାବୀ ନେଇ ଗତ ନଭେମ୍ବର ୨୯ ତାରିଖ ଠାରୁ ସମଗ୍ର ଓଡିଶାରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିଥିବା ବେଳେ, ହଜାର ହଜାର ସଂଖ୍ୟାରେ ଆଶାକର୍ମୀ ମାନେ ଦିନ ରାତି ଥଣ୍ଡା କାକରରେ ବସିଥିବା ବେଳେ ରାଜ୍ୟ ସରକାର ସମାଧାନ ପାଇଁ କୌଣସିପଦକ୍ଷେପ ନେଉ ନଥିବାରୁ ସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ସମସ୍ତ ଜିଲ୍ଲାରେ ଜେଲଭରୋ ଆନ୍ଦୋଳନ ପାଇଁ ନିଷ୍ପତି ନେବା ଅବସରରେ ଆଜି ମୟୂରଭଂଜ ଜିଲ୍ଲାଶାଖା ପକ୍ଷରୁ ଦିବା ୧୧ ଘଟିକା ସମୟରେ ଆଶା କର୍ମୀ ମାନେ ଏକ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଶା କର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହ ସର୍ବନିମ୍ନ ୧୮ହଜାର ଟଙ୍କା ଦରମା ପ୍ରଦାନ କରିବା, ସ୍ୱତନ୍ତ୍ର କିଟ ସହ ବାର୍ଷିକ ୪ହଳ ପୋଷାକ ଯୋଗାଇଦେବା, କାର୍ଯ୍ୟକ୍ଷେତ୍ର ରେ ସୁରକ୍ଷା ଯୋଗାଇଦେବା ସହ କୋଭିଡ ରେ ମୃତ ଆଶାକର୍ମୀ ମାନଙ୍କୁ ୫୦ ଲକ୍ଷଟଙ୍କାର ସହାୟତା ପ୍ରଦାନ କରାଯିବା ଇତ୍ୟାଦି ଦାବୀରେ ସାରାଜିଲ୍ଲାର ବହୁ ସଂଖ୍ୟାରେ ଆଶାକର୍ମୀ ଏହି ଶୋଭାଯାତ୍ରା ଓ ବିକ୍ଷୋଭରେ ସାମିଲ ହୋଇଥିବା ବେଳେ, ସେମାନଙ୍କର ଦାବୀ ପୁରଣ ନହେଲେ ଜେଲଭରୋ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବା ବୋଲି କୁହାଯାଇଛି । ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ସ୍ତରୀୟ କର୍ମକର୍ତା ନିଗମାନନ୍ଦ ପଟ୍ଟନାୟକ, ଜିଲ୍ଲାସଭାନେତ୍ରୀ ସରସ୍ୱତୀ ଟୁଡୁ, ସମ୍ପାଦିକ ବୋଧିରଜତ ମହାନ୍ତ, ସଂଗଠନ ସମ୍ପାଦକ ଭୀମଚରଣ ମହାକୁଡ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇ ଦାବୀପୁରଣ ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି ।
