ଶିମିଳିପାଳ ହାତୀମୃତ୍ୟୁ ଘଟଣାରେ ବନ୍ଧାହେଲେ ୩ନିଲମ୍ବିତ ବନ କର୍ମଚାରୀ ପ୍ରମାଣ ନଷ୍ଟପାଇଁ ଦନ୍ତାହାତୀର ଶବକୁ ୪ଦିନ ଧରି ପୋଡିଥିଲେ
ବାରିପଦା : ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଂଜରେ ହାତୀ ଶୀକାର କରି ଦାନ୍ତକାଟି ନେବା ପରେ ହାତିର ଶବକୁ ପୋଡି ତାର ହେହାବସେଶକୁ ନଦୀରେ ଭସାଇ ଦେବା ଘଟଣାରେ ହାଇକୋର୍ଟ ପିସିସିଏଫ ଏବଂ ଜେଟିଏଫଙ୍କୁ କାର୍ଯ୍ୟାନୁଷ୍ଠାନ ନେଇ କଡା ଭାଷାରେ ନିନ୍ଦା କରିଥିବା ବେଳେ, ବିଭାଗ ପକ୍ଷରୁ ନିଲମ୍ବିତ ୩ ଜଣ ବନ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ୩ ବନ କର୍ମଚାରୀ ହେଲେ ଜେନାବିଲ ରେଂଜର ଭାରପ୍ରାପ୍ତ ରେଂଜର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସ । ଗତ ୭ ତାରିଖରେ ଶିମିଳିପାଳରେ ହାତୀ ମୃତ୍ୟୁ ନେଇ ଖବର ଆସିବା ପରେ ଆରସିସିଏଫ ଟି.ଅଶୋକ କୁମାରଙ୍କ ନିର୍ଦ୍ଦେଶରେ ଏସିଏଫ ଙ୍କ ନେତୃତ୍ୱରେ ୭ଟି ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ କରି ତଦନ୍ତ ଚାଲିଥିବା ବେଳେ, ପିସିସିଏଫଙ୍କ ନିର୍ଦ୍ଦେଶରେ ମଧ୍ୟ ସିସିଏଫ ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟାକ୍ସଫୋର୍ସ ଟିମ ଆସି ଜେନାବିଲ ଠାରେ ହାତିପୋଡି ମାମଲାର ତଦନ୍ତ କରୁଛନ୍ତି । ଯାଂଚ ବେଳେ ନିଲମ୍ବିତ ୩ବନ କର୍ମଚାରୀ ଦୋଷ ସ୍ୱୀକାର କରିବା ସହିତ ଘଟଣାସ୍ଥଳରୁ କିଛି ହାଡ଼ ଖଣ୍ଡ ମିଳିଥିଲା । ସୂଚନା ମୁତାବକ ଗତ ନଭେମ୍ବର ୨ ତାରିଖରେ ଏକ ଦନ୍ତାହାତୀର ମୃତଦେହ ଶିମିଳିପାଳ ଅଭୟାରଣ୍ୟର ଜେନାବିଲ ରେଂଜ ଗୁରାଣ୍ଡି-୩ ବିଟ ମାନସୀ କ୍ୟାମ୍ପ ନିକଟରେ ପଡିଥିବା ଜେନାବିଲ ଫରେଷ୍ଟଗାର୍ଡ ବିନୋଦ କୁମାର ଦାସ ଦେଖି କେହି ଦୁବୁର୍ତ ଦନ୍ତାହାତୀକୁ ହତ୍ୟା କରିବା ପରେ ଦାନ୍ତ ଲୁଟି ନେଇଥିବା ଜାଣିପାରି ଘଟଣା ବାବଦରେ ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଏବଂ ଇନଚାର୍ଜ ରେଂଜର ଶିବଶଙ୍କର ସାମଲଙ୍କୁ ଜଣାଇଥିଲେ । ହେଲେ ଏହି ତିନି ବନ କର୍ମଚାରୀ ଏହି ଘଟଣା ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ପରିବର୍ତେ ପ୍ରମାଣ ନଷ୍ଟ କରିବା ପାଇଁ ହାତୀର ମୃତ ଦେହକୁ ନଷ୍ଟ କରିବାକୁ ଆରମ୍ଭ କରିଥିଲେ ଚକ୍ରାନ୍ତ । ଯୋଜନା ବଦ୍ଧ ଭାବେ ଗତ ନଭେମ୍ବର ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଲଗାତାର ଚାରିଦିନ ଧରି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହାତୀର ମୃତଦେହକୁ ଜଙ୍ଗଲରେ ପୋଡା ଯିବାସହ ଶେଷରେ ଦରପୋଡା ହାତୀର ହାଡ ଏବଂ ଅନ୍ୟ ଅଂଶକୁ ନିକଟସ୍ଥ ବାଘିଆଦର ନାଳରେ ଭସାଇ ଦେଇଥିଲେ । ଏହି ଘଟଣାରେ ସଂପୃକ୍ତ ତିନି ବନ କର୍ମଚାରୀଙ୍କୁ ଗିରଫ କରାଯାଇ ଆଜି ଉଦଳା କୋର୍ଟ ଚାଲାଣ କରାଯାଇଛି । ଉଦଳା କୋର୍ଟରେ ସେମାନଙ୍କ ଜାମିନ ନାମଂଜୁର ହେବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏନେଇ ହାଇକୋର୍ଟରେ ମଙ୍ଗଳବାର ଶୁଣାଣିବେଳେ, ପିସିସିଏଫ ଦୋଷ ମାନିଥିଲେ । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତି ଶୁଣାଣି ହେବାକୁ ଥିବା ବେଳେ, ଆଜି ବନ୍ୟପ୍ରାଣି ନିରୋଧ ଆଇନ ବଳରେ ମାମଲାରୁଜୁ କରାଯାଇ ୩ ନିଲମ୍ବିତ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନାମରେ ଦରକାର ପଡିଲେ ଫୌଜଦାରୀ ମାମଲା ମଧ୍ୟ ରୁଜୁ କରାଯିବ ବୋଲି କହିଛନ୍ତି ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ।
