ସ୍ୱତନ୍ତ୍ର ଶୈକ୍ଷିକ କାର୍ଯ୍ୟକ୍ରମ ଟିଚ ମୟୂରଭଂଜ ଉଦଯାପିତ
ବାରିପଦା : ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ୱାରା ପ୍ରଚଳିତ ଟିଚ ମୟୂରଭଂଜ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଶିକ୍ଷା ବିଭାଗ ଅନ୍ତର୍ଗତ ସମ୍ମିଳିତ ବି.ଇଡି. -ଏମ.ଇଡି. ଓ ସ୍ନାତକୋତର ଶିକ୍ଷାର ମୋଟ ୧୮୩ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ୨୦ ଟି ବ୍ଲକ, ୨ ଟି ଏନ.ଏ.ସି. ଓ ବାରିପଦା ପୌରପାଳିକା କୁ ମିଶାଇ ସର୍ବମୋଟ ୭୫ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ବିନା କୌଣସି ପାରିଶ୍ରମିକରେ ଦୀର୍ଘ ଏକ ମାସ କାଳ ବିଭାଗର ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନ କରିଥିଲେ । ପର୍ଯ୍ୟାପ୍ତ ପରିମାଣର ଶିକ୍ଷକ ନଥିବା ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନରତ ସମ୍ମିଳିତ ବି.ଇଡି. ଏମ.ଇଡି. ଓ ସ୍ନାତକୋତର ଶିକ୍ଷାର ଛାତ୍ରଛାତ୍ରୀ ମାନେ ଶୈକ୍ଷିକ ଅଭାବ ପୂରଣ କରିବା ସହିତ ତାଙ୍କୁ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା । ଦୀର୍ଘ ଏକ ମାସ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାସଗୋବିନ୍ଦପୁର ସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ଡ଼ା.ଆଦିତ୍ୟ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବରେ ମୟୂରଭଂଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ପ୍ରଶାନ୍ତ କୁମାର ମହାନ୍ତି ଓ ନିତ୍ୟାନନ୍ଦ ବାରିକ ଏବଂ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଜ୍ଞାନରଂଜନ ଆଚାର୍ଯ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସ୍ୱତନ୍ତ୍ର ଅତିଥିରୂପେ ଜାତୀୟ ସ୍ମାରକୀ ପ୍ରାଧିକରଣ ର ସଭାପତି ତଥା ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କିଶୋର କୁମାର ବସା ଆଭାସୀ ମାଧ୍ୟମରେ ଯୋଗ ଦେଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡ଼ଃ. ସମୀର କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ତଥା ଶିକ୍ଷା ବିଭାଗର ସହକାରୀ ପ୍ରାଧ୍ୟାପକ ଡ଼ଃ. ରମେଶ କୁମାର ପରୁଆ ବିବରଣୀ ପାଠ କରିଥିଲେ । ଆୟୋଜିତ ଉତ୍ସବରେ ସମ୍ପୃକ୍ତ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କର ନିଜ ନିଜର ମତ ରଖିଥିଲେ । ଏହି ଉଦ୍ଯାପନୀ ଉତ୍ସବରେ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିକ୍ଷା ସମ୍ବନ୍ଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା ।
