ଶିକ୍ଷାବିତ୍ ଇନ୍ଦ୍ରମଣି ଗାହାଣଙ୍କ ପରଲୋକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମର ଶିକ୍ଷାବିତ୍ ଇନ୍ଦ୍ରମଣି ଗାହାଣ (୭୫)ଙ୍କର ବୁଧବାର ପରଲୋକ ହୋଇ ଯାଇଛି । ସ୍ୱର୍ଗତ ଗାହାଣ ସକାଳେ ସେ ପ୍ରତିଷ୍ଠା କରିଥିବା ସ୍କୁଲରେ ପାଠ ପଢ଼ାଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ଗାହାଣ ଆରସା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭାବେ ଦୀର୍ଘଦିନ ଧରି କାର୍ଯ୍ୟକରି ଅବସର ନେଇଥିଲେ । ସେ ଜଣେ ଛାତ୍ରବତ୍ସଳ, ମେଳାପି, ଶାନ୍ତ, ସରଳ, କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବରେ ପରିଚିତ ଥିଲେ । ଏଥି ସହ ବିଭିନ୍ନ ସାମାଜିକ ସଂଗଠନ ଓ ଧର୍ମାନୁଷ୍ଠାନରେ ସକ୍ରିୟ ଭୂମିକା ଗ୍ରହଣ କରି କାର୍ଯ୍ୟ କରିଆସୁଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ତାଙ୍କର ଛାତ୍ରଛାତ୍ରୀମାନେ ବାସଭବନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ତାଙ୍କୁ ଏକ ଶୋଭାଯାତ୍ରା ମାଧ୍ୟମରେ ପଞ୍ଚାୟତ ପରିକ୍ରମା କରାଯିବା ସହ ତାଙ୍କ କର୍ମଭୂମି ଆରସା ହାଇସ୍କୁଲକୁ ନିଆଯାଇଥିଲା । ପରେ ଜନ୍ମମାଟି ବାରୋ ଗ୍ରାମକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସରପଞ୍ଚ ସସ୍ମିତା ମଲିକ ଓ ଉଦ୍ଧବ ଚରଣ ନାୟକ, ସମିତିସଭ୍ୟ ଚିନ୍ତାମଣି ଦାସ, ସମାଜସେବୀ ବସନ୍ତ ପତି, ଉମାକାନ୍ତ ଦାସ, ଅଜୟ ରାଉତ, କୀର୍ତ୍ତନ ରାଉତ, ଜ୍ୟୋତିର୍ମୟ ପାଣ୍ଡବ, ତ୍ରିଲୋଚନ ମହାଳିକ, ଧୀରେନ୍ଦ୍ର ସାହୁ, ବୀରେନ୍ଦ୍ର ସାହୁ, ସୁଧାଂଶୁ ନାୟକ, ହେମନ୍ତ ମହାନ୍ତି, ସନାତନ ସାହୁ, ବିପ୍ଳବ ପତି, ପ୍ରଶାନ୍ତ ବାରିକ, ଲକ୍ଷ୍ମୀକାନ୍ତ ପତି, ପଦ୍ମଲୋଚନ ପତି ପ୍ରମୁଖ ଶବାଧାରରେ ସାମିଲ ହୋଇଥିଲେ ।
