ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଓଡ଼ିଆ ଓ ଶିକ୍ଷା ବିଭାଗର ଜାତୀୟ ଅଲୋଚନା ଚକ୍ର ଅନୁଷ୍ଠିତ
ବାଲିଆପାଳ : ବାଲିଆପାଳ ବ୍ଳକର ଅଗ୍ରଣୀ ମହାବିଦ୍ୟାଳୟ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଓ ଶିକ୍ଷା ବିଭାଗର ମିଳିତ ଭାବେ ଶନିବାର ଜାତୀୟ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଗୌରାଙ୍ଗ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଆ ଭାଷା ସାହିତ୍ୟର ଉତ୍ପତ୍ତି ଓ ବିକାଶ କ୍ରମ ଆଲୋଚନା ଚକ୍ରରେ ପଶ୍ଚିମବଙ୍ଗ ବିଶ୍ୱ ଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଡ଼ଃ ରବୀନ୍ଦ୍ର କୁମାର ଦାସ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଓଡ଼ିଆ ଭାଷାର ପ୍ରୟୋଗ ଓ ଦିଗ ଉପରେ ଆଲୋଚନା କରିଥିଲେ।ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ଼ଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଚର୍ଯ୍ୟାଗୀତିକା ଠାରୁ ଆରମ୍ଭ କରି ରୁଦ୍ରସୁଧାନିଧି ଓ ଚତୁର ବିନୋଦନ ବ୍ୟବହୃତ ହୋଇଥିବା ଭାଷା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ।ଫକୀରମୋହନ ଅଟୋନମାସ କଲେଜର ଓଡ଼ିଆ ବିଭାଗର ପ୍ରଫେସର ହରିଶଚନ୍ଦ୍ର ବେହେରା ଯୋଗଦେଇ ଓଡ଼ିଆ ଭାଷାର ଉତ୍ପତିକୁ ଚର୍ଯ୍ୟାଗୀତିକା,ଓଡ଼ିଆ ଲିପି, ଅଭିଲେଖ, ଲୋକସାହିତ୍ୟ, ମହାଭାରତ, ଚଣ୍ଡୀପୁରାଣ,ଚତୁର ବିନୋଦ, ରୁଦ୍ରସୁଧାନିଧି,ସୁମନାଥ ବ୍ରତକଥା, ଶିଶୁବେଦ ଓ ମାଦଳା ପାଞ୍ଜିରୁ ଉଦାହରଣ ଦେଇ ଓଡ଼ିଆ ଭାଷାର ଉତ୍ପତିକୁ ପ୍ରମାଣ ଦେଇଥିଲେ।ଅନ୍ୟତମ ବକ୍ତା ଫକୀରମୋହନ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡ଼ଃ ଦେବାଶିଷ ପାତ୍ର ସାଂପ୍ରତିକ ସାହିତ୍ୟରେ ପ୍ରାଚୀନ ଭାଷାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ ସନ୍ତୋଷ କୁମାର ସାହୁ,ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ସଚିନ୍ଦ୍ର ନାଥ ଦତ୍ତ ଏବଂ ଅଧ୍ୟାପକ ଡ଼ଃ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଆଲୋଚନା ଚକ୍ର ପରିଚାଳନା କରିଥିଲେ।ଏହି ଜାତୀୟ ଆଲୋଚନା ଚକ୍ରରେ ଓଡ଼ିଆ ଓ ଶିକ୍ଷା ବିଭାଗର ୧୭୦ରୁ ଅଧିକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
