ବାବୁଲାଲ ଅଗରୱାଲା ସ୍ମୃତି ପୁରସ୍କାର ପ୍ରଦାନ ଜିଲ୍ଲାର ୨୬ଟି ବ୍ଲକର ଶ୍ରେଷ୍ଠ ବିବେଚିତ ଚାଷୀଙ୍କୁ ସମ୍ବର୍ଦ୍ଧନା
କୃଷି ଓ କୃଷକର ଉନ୍ନତି ବିନା ଦେଶର ବିକାଶ ଅସମ୍ଭବ
ବାରିପଦା : କୃଷି ଓ କୃଷକର ଉନ୍ନତି ବିନା ଦେଶର ବିକାଶ ଅସମ୍ଭବ ଏଣୁ ଏକ ବିକାଶଶୀଳ ସମାଜ ଓ ରାଷ୍ଟ୍ର ଗଠନ ପାଇଁ କୃଷିକ୍ଷେତ୍ର ଓ କୃଷିଜୀବି ମାନଙ୍କର ବିକାଶ ନିତ୍ୟାନ୍ତ ଜରୁରୀ ବୋଲି ଆଜି ବାରିପଦା ଷ୍ଟାଡିୟମ ସଭାଗୃହ ଠାରେ ଆୟୋଜିତ ବାବୁଲାଲ ଅଗରୱାଲା ମେମୋରିଆଲ ଆୱାର୍ଡ ଫାଉଣ୍ଡେସନ ପକ୍ଷରୁ ସ୍ମୃତି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡ଼ୁ ମୁଖ୍ୟ ଅତିଥି ଏବଂ ସଦଭାବନା ସମିତିର ପ୍ରତିଷ୍ଠାତା ଭୂମିପୁତ୍ର ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ମତପୋଷଣ କରିବା ସହିତ ବେସରକାରୀ ଉଦ୍ୟମରେ ଦୀର୍ଘ ୨୩ବର୍ଷ ଧରି ଜିଲାର ସମସ୍ତ ୨୬ଟି ବ୍ଲକର ଅଗ୍ରଣୀ କୃଷକଙ୍କୁ ସମ୍ବର୍ଦ୍ଧିତ କରାଯିବା ପରମ୍ପରା ଅନନ୍ୟ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଜିଲା କୃଷି ଅଧିକାରୀ ଲକ୍ଷ୍ମଣ ମୁର୍ମୁ ବିଭାଗୀୟ ସଂଯୋଜନାରେ ବ୍ଲକୱାରି ଶ୍ରେଷ୍ଠ କୃଷକଙ୍କୁ ଚୟନ କରାଯାଇ ପ୍ରତିବର୍ଷ ପୁରସ୍କାର ପ୍ରଦାନ କରାଯାଉଥିବାରୁ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ । ସ୍ୱର୍ଗତ ବାବୁଲାଲ ଅଗରୱାଲାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଏହି ୨୩ତମ ସ୍ମୃତି ପୁରସ୍କାର ପ୍ରଦାନ ଉତ୍ସବରେ ଫାଉଣ୍ଡେସନର ଚେୟାରମ୍ୟାନ ତଥା ଭାରତ କୃଷକ ସମାଜର ଆଜୀବନ ସଦସ୍ୟ ଡ. ବିଜୟ କୁମାର ଅଗରୱାଲାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବର ପଣ୍ଡିତ ଭାଗବତ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ, ଜିଲା ପରିବେଶ ସମିତିର ଉପାଧ୍ୟକ୍ଷ ସନ୍ତୋଷ ମହାନ୍ତି, ଜିଲା ଓକିଲ ସଂଘର ପୂର୍ବତନ ସଭାପତି ବିଜନ ଦାସ, ଅଲ ଇଣ୍ଡିଆ ମାରୱାଡି ଯୁବ ମଂଚ ଅନ୍ତର୍ଜାତୀୟ ଫୋରମର ଚେୟାରମ୍ୟାନ ହେମନ୍ତ ଶାହା, ଉତ୍କଳମଣି ଗୋପବନ୍ଧୁ ଶିକ୍ଷା ଓ ଶିକ୍ଷକ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସରୋଜ ନାୟକ, ସାମ୍ବାଦିକ ରଂଜନ କୁମାର ଦାସ, ବାରିପଦା
ଆକାଶବାଣୀର କାର୍ଯ୍ୟକ୍ରମ ଅଧିକାରୀ ସତ୍ୟାନନ୍ଦ ଶେଜପଡା, ଇକୋ କ୍ଲବର ଜିଲା ସଂଯୋଜକ ଡ. ଶଶିଧର ବିଶ୍ୱାଳ ପ୍ରମୁଖ ବାବୁଲାଲ ଅଗରୱାଲାଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପୁରସ୍କୃତ ଚାଷୀଙ୍କ ମଧ୍ୟରୁ ଯଶିପୁରର ମହିଳା ଚାଷୀ ସୁବାଷ ମହାନ୍ତ ସଫଳ ମାଣ୍ଡିଆ ଚାଷ ସଂପର୍କରେ ଏବଂ କରଂଜିଆର ଚାଷୀ ଦେବବ୍ରତ ଦେହୁରୀ ଚାଷ ଜମିରୁ ଉଲ୍ଲେଖନୀୟ ରୋଜଗାର ସଂପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଦିବଂଗତ ବାବୁଲାଲ ଅଗରୱାଲାଙ୍କ ଫଟୋଚିତ୍ରରେ ଅତିଥି ମାନେ ମାଲ୍ୟାର୍ପଣ କରିଥିବା ବେଳେ ଶେଷରେ ଫାଉଣ୍ଡେସନର ସହଯୋଗୀ ଅକ୍ଷୟ ଅଗରୱାଲା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଜିଲାର ଶ୍ରେଷ୍ଠ କୃଷକଙ୍କ ମଧ୍ୟରେ ମିହିର କୁମାର ମହାନ୍ତ ବାରିପଦା, ସୋମନାଥ ଜେନା ଶାମାଖୁଂଟା, ରବୀନ୍ଦ୍ର ସାହୁ ଶୁଳିଆପଦା, ସୁବଳ ସାମଲ ବେତନଟୀ, ଚନ୍ଦନ କୁମାର ଗିରି ରାସଗୋବିନ୍ଦପୁର, ଛାକୁ କିସ୍କୁ ମୋରଡ଼ା, ଧୀରେନ୍ଦ୍ର ମାଟିଆ ବଡ଼ସାହି, ମଦନ ହାଁସଦା ବାଙ୍ଗିରିପୋଷି, ଅନନ୍ତ ପ୍ରସାଦ ନାଏକ କୁଳିଅଣା, ଦେବାଶିଷ ଘୋଷ ସାରସକଣା, କାହ୍ନୁ ଚରଣ ମୁର୍ମୁ ଉଦଳା, ସନ୍ତୋଷ କୁମାର ପରିଡ଼ା ଗୋପବନ୍ଧୁନଗର, ବିଷ୍ଣୁ ମୁର୍ମୁ ଖୁଂଟା, ଶଶିକାନ୍ତ ନାଏକ କପ୍ତିପଦା, ଦେବବ୍ରତ ଦେହୁରୀ କରଂଜିଆ, ଶଶି ଭୂଷଣ ମିଶ୍ର ଶୁକୃଳି, ଭବାନୀ ଶଙ୍କର ମହାନ୍ତ ଠାକୁରମୁଣ୍ଡା, ମହିଳା ଚାଷୀ ସୁବାଷ ମହାନ୍ତ ଯଶିପୁର, ଦିବ୍ୟଜ୍ୟୋତି ମହାନ୍ତ ରରୁଆଁ, ଦଧିସ୍ୱର ମହାନ୍ତ ରାଇରଙ୍ଗପୁର, ସର୍ବେଶ୍ୱର ବେହେରା ବିଶୋଇ, ସୁପାଇ ଟୁଡୁ ବିଜାତୋଳା, ମହିଳା ଚାଷୀ ପୁଷ୍ପାଂଜଳି ମହାନ୍ତ କୁସୁମୀ, ଜଗନ୍ନାଥ ବାଗେ ଜାମଦା, ମୁନିରାମ ମୁର୍ମୁ ବହଳଦା ଏବଂ ବିଶ୍ୱରଂଜନ ମୁର୍ମୁ ତିରିଂ ପ୍ରମୁଖ ଚାଷୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।
