ନୀତି ଆୟୋଗର ସି.ଇ.ଓ.ଙ୍କ ମୟୁରଭଞ୍ଜ ଗସ୍ତ ଓ କ୍ଷେତ୍ର ପରିଦର୍ଶନ
ବାରିପଦା : ଆଜି ଅପରାହ୍ନ ରେ ନୀତି ଆୟୋଗର ସି.ଇ.ଓ. ପରମେଶ୍ୱରନ ଆୟାର ଦିନିକିଆ ମୟୁରଭଞ୍ଜ ଗସ୍ତରେ ଆସି ଯଶିପୁର ବ୍ଲକର ମହାର୍ଦାପଲସା ଉଚ୍ଚ ବାଳକ ବିଦ୍ୟାଳୟ ପରିଦର୍ଶନ ରେଯାଇ ବିଦ୍ୟାଳୟର ବର୍ତମାନର ସ୍ଥିତିର ଅନୁଧ୍ୟାନ କରିବା ସହ ବିଭିନ୍ନ ସୁବିଧା ଅସୁବିଧା ସମ୍ଭନ୍ଧରେ ବିଦ୍ୟାଳୟ କତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ, ଇ-ଲାବରଟୋରୀ ଇତ୍ୟାଦି ବୁଲି ଦେଖିଥିଲେ ଏବଂ ଛାତ୍ର ମାନଙ୍କ ସହିତ ଶିକ୍ଷା ସମ୍ଭନ୍ଧୀୟ ବିଷୟ ବସ୍ତୁ ଉପରେ ଇଂଟରେକ୍ସନ କରିଥିଲେ । ପରେ ପରେ ଖଡିଆ ମାଙ୍କଡ଼ିଆ ସମ୍ପ୍ରଦାୟର ଆଦିମ ଆଦିବାସୀ ବାସ କରୁଥିବା ଦୁର୍ଦୁରା ଗ୍ରାମ ପରିଦର୍ଶନ ରେ ଯାଇ (ପି.ଭି.ଟି.ଜି.) ସମ୍ପ୍ରଦାୟ ର ଖଡିଆ ମାଙ୍କଡ଼ିଆ ଜନ ଜାତି ଲୋକଙ୍କ ସହିତ ସିଧାସଳଖ କଥା ବାର୍ତା ହୋଇ ସେମାନଙ୍କ ବିଭିନ୍ନ ଅଭାବ ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ଏହି ଅବସରରେ ଦୁର୍ଦୁରା ମାଙ୍କଡ଼ିଆ ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ରାମବାସୀ ମାନଙ୍କ ତରଫରୁ ବସା ଯାଇଥିବା ବିଭିନ୍ନ ବନ୍ୟଜାତ ଔଷଧିୟ ସାମଗ୍ରୀ ତଥା ବନ୍ୟଜାତ ଦ୍ରବ୍ୟରୁ ପ୍ରସ୍ତୁତ ବିଭିନ୍ନ ଉପକରଣର ଷ୍ଟଲ ଗୁଡିକ ବୁଲି ଦେଖିବା ସହ ଲୋକ ମାନଙ୍କ ସହିତ ଏସବୁ ଦ୍ରବ୍ୟ ଓ ଉପକରଣର ଉପଯୁକ୍ତ ମାର୍କେଟିଂ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମିଲେଟ ମିଶନ ଯୋଜନାରେ ଚାଷୀ ମାନଙ୍କ ସଫଳତା ବାବଦରେ ପଚାରିବୁଝିବା ସହ ଭବିଷ୍ୟତରେ ସେମାନଙ୍କୁ ଅଧିକରୁ ଅଧିକ ଅର୍ଥ ନୈତିକ ସ୍ୱାବଲମ୍ବୀ କରାଇ ସେମାନଙ୍କ ଜୀବନ ଶୈଳୀର ମାନକୁ ଉନ୍ନତ କରିବା ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନେଇ ସ୍ପଷ୍ଟ କରିଥିଲେ । କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଚିବ ଅନିଲ କୁମାର ଝା, ନୀତି ଆୟୋଗର ନିର୍ଦେଶକ ଅକ୍ଷୟ ରାଉତ, ଅମିତ ବର୍ମା ପ୍ରମୁଖ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ବାରିପଦା ଆଇଟିଡିଏର ପ୍ରକଳ୍ପ ପ୍ରସାଶକ ବସନ୍ତ କୁମାର ସେଠି, ଜିଲ୍ଲା ଶିକ୍ଷା ଅଧିକାରୀ ନବ କିଶୋର ଗିରି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ ।
