କରୋନାପରେ ଓଷ୍ଟାର ୩୯ତମ ଶିଶୁ ମହୋତ୍ସବ- ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ଲାଗି ଲଢେଇ : ଲୁକାୟିତ ପ୍ରତିଭା ବିକାଶ ଲାଗି ପ୍ରଚେଷ୍ଟା
ଜଳେଶ୍ୱର : ଆଜି ଖୁଲୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଷ୍ଟାର ୩୯ତମ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । କରୋନାପରେ ଏହା ଜିଲାର ପ୍ରଥମ ଶିଶୁ ଉତ୍ସବ । ଏଥିରେ ଓଷ୍ଟାର ବ୍ଲକ ସଭାପତି ସୁକୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ସର୍ବଭାରତୀୟ ଶିକ୍ଷକ ସଂଘର ଉପସଭାପତି ତଥା ଓଷ୍ଟାର ପୂର୍ବତନ ରାଜ୍ୟ ସଭାପତି ଇନ୍ଦୁମାଧବ ମହାନ୍ତି ଯୋଗ ଦେଇ ଓଷ୍ଟା ୪୩ବର୍ଷ ଧରି ଶିକ୍ଷକ, ଶିକ୍ଷାନୁଷ୍ଠାନ ଓ ଶିକ୍ଷାର୍ଥୀଙ୍କ ଲାଗି ଲଢେଇ ଜାରି ରଖି ଆସିଛି । ଶିକ୍ଷାକୁ ଉଚ୍ଚତର ସୋପାନରେ ପହଞ୍ଚାଇବା ଲାଗି ଚେଷ୍ଟା କରିଥିବା ବେଳେ ଶିଶୁ ଉତ୍ସବ ଏକ ସୋପାନ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ରାଜ୍ୟର ପୂର୍ବତନ ଯୁଗ୍ମ ସଂପାଦକ ଅକ୍ଷୟ ମିଶ୍ର ଯୋଗ ଦେଇ ଓଷ୍ଟାର ୧୦ଟି ବିଷୟରେ ପ୍ରତିଯୋଗୀତା କରି ଲୁକ୍ାୟିତ ପ୍ରତିଭା ଚୟନ କରିବା ପ୍ରଚେଷ୍ଟା ଆରମ୍ଭ ପରେ ରାଜ୍ୟ ସରକାର ଏହାର ଯଥାର୍ଥତା ଉପଲବ୍ଧି କରି ସୁରଭି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂପାଦକ ମନୋରଂଜନ ଦାସ, ବ୍ଲକ ସଂପାଦକ ଡ. ଅଜିତ୍ କୁମାର ମହାନ୍ତି, ପ୍ରାଣକୃଷ୍ଣ ଗିରି, ରବିନ୍ କୁମାର ମିଶ୍ର, ବଂଶୀଧର ବାରିକ, ମନୋରଂଜନ ଦତ୍ତ ପ୍ରମୂଖ ବକ୍ତବ୍ୟ ରଖିଥିଲେ । ସକାଳେ ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱର ଏସ୍ଡିପିଓ ଦିଲ୍ଲିପ କୁମାର ସାହୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତାଭାବେ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ସମ୍ମାନୀତ ଅତିଥିଭାବେ ଓଷ୍ଟାର ଜିଲା ସଭାପତି ବାଦଲ ଚନ୍ଦ୍ର ପାତ୍ର, ଜିଲା ପରିଷଦ ସଦସ୍ୟ ମିନତି ଜେନା, କେଶବ ଚନ୍ଦ୍ର ପରିଡା ଓ ସରୋଜ କୁମାର ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୧ମ, ୨ୟ ଓ ୩ୟ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଓ ପ୍ରଥମ, ଦ୍ୱିତୀୟ ଛାତ୍ରଛାତ୍ରୀ ଜିଲା ଶିଶୁ ଉତ୍ସବରେ ଯୋଗ ଦେବା ସଂପର୍କରେ କହିଥିଲେ ।
